କନକ ବ୍ୟୁରୋ: କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଚେତିଲା ଖଣି ବିଭାଗ । ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ପ୍ରଥମ ଥର ଘଟଣାସ୍ଥଳକୁ ଯିବେ ଉପ ନିର୍ଦ୍ଦେଶକ । ଗ୍ରାଉଣ୍ଡ ଜିରୋକୁ ଯାଇ ଖଣି ଚୋରିର କରିବେ ଅନୁଧ୍ୟାନ । ତେଲେନ୍‌ଡିହି, ରତନସରା, ବୋଗରାକଛା, ଜାମକାନି ରିଜର୍ଭ ଫରେଷ୍ଟ ଅଞ୍ଚଳକୁ ଯାଇ ଖୋଳତାଡ଼ କରିବେ ଉପନିର୍ଦ୍ଦେଶକ । ତଦନ୍ତ କରିବା ପରେ ଖଣି ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ । ବର୍ଷ ବର୍ଷ ଧରି ମାଫିଆମାନେ ଜଙ୍ଗଲ ଭିତରେ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରା ଚାଲାଣ କରି ଆସୁଛନ୍ତି । ଏ ସମ୍ପର୍କରେ ପ୍ରଶାସନ, ଖଣି ଓ ରାଜସ୍ବ ବିଭାଗ ପାଖରେ ଖବର ଥିଲେ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଖଣିଜ ଲୁଟ୍‌କୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ୩ ଦିନ ମଧ୍ୟରେ ଚୋରା ଖଣି ଠାବ କରି ଅଞ୍ଚଳର ସମସ୍ତ କୋଲ ୱାସେରି ଓ କୋଇଲା ଡିପୋକୁ ଯାଞ୍ଚ କରି ଷ୍ଟକର ହିସାବ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସେପଟେ ଖଣି ଚୋରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୁନ୍ଦରଗଡ଼ ବିଧାୟକ । ପ୍ରଥମ ଥର ପାଇଁ ମୁହଁ ଖୋଲି ବିଧାୟକ ଯୋଗେଶ ସିଂ କହିଛନ୍ତି, ମଫିଆମାନେ ରାତି ପାହିଲେ ଦାମୀ ଗାଡି ନଗଦ ଟଙ୍କାରେ କିଣୁଛନ୍ତି । ଖଣି ଚୋରି ମାମଲାରେ ବିଜେଡି, ବିଜେପି କି ଯେଉଁ ଦଳର ରାଜନେତା ସାମିଲ ଅଛନ୍ତି ସେମାନକୁ ପ୍ରଥମେ ଗିରଫ କରାଯାଉ । ସ୍ଥାନୀୟ ପ୍ରଶାସନ ଏଥିରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ପ୍ରଶାସନକୁ ତଦନ୍ତ ଭାର ନଦେଇ ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ସରକାର ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ ।

ଏବେ ପ୍ରଶ୍ନ ଉଠୁଛି 
କାହା ଇସାରାରେ ଚାଲିଥିଲା ଲୁଟ୍‌ ?
ଖଣି ଚୋରିରେ କିଏ କରୁଥିଲା ଡିଲ୍‌ ?
କେଉଁଆଡେ ଯାଉଥିଲା ଚୋରା କୋଇଲା ?
ଏପର୍ଯ୍ୟନ୍ତ ନିରବ କାହିଁକି ଖଣି ମନ୍ତ୍ରୀ ?
ଶହ ଶହ କୋଟିର ଲୁଟ୍‌ ପଛରେ କାହାର ହାତ ?
ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କର ବି ରହିଛି କି ହାତ ?
ପ୍ରଶାସନ ନାକ ତଳେ ଶହ ଶହ କୋଟିର କୋଇଲା ଚୋରି ହେଲା କେମିତି ?
ପ୍ରଶାସନ ସବୁ ଜାଣି ବି କାହିଁକି ଥିଲା ଚୁପ୍‌ ?
ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ ତ କଡ଼ା କାର୍ଯ୍ୟାନୁଷ୍ଠାନ ତ ?
ଏତଲା କେବଳ ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ନାଁକୁ ମାତ୍ର ନୁହେଁ ତ ?