କନକ ବ୍ୟୁରୋ: ଖଣିଜ ପାଣ୍ଠି ଖର୍ଚ୍ଚରେ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଛି । କ୍ଷମତାର ଅପବ୍ୟବହାର କରି ଖଣି ପାଣ୍ଠିକୁ ନିଜ ଇଚ୍ଛା ଅନୁସାରେ ବୁଲାଇଛନ୍ତି ଅଧିକାରୀ ଓ ରାଜନେତା । ସରକାର ଯାଞ୍ଚ କରିବା ପୂର୍ବରୁ ତାଲିକାରେ ଥିବା ତିନି ଜିଲ୍ଲା ଯାଜପୁର, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଗ୍ରାଉଣ୍ଡ୍ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।
ଯାଜପୁର
୧୧୩ କୋଟି ଟଙ୍କା ବିନିମୟରେ ପାଣିକୋଇଲି ଅଞ୍ଚଳରେ ନିର୍ମାଣାଧୀନ ରହିଛି ସାଇନ୍ସ ପାର୍କ । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଅଧପନ୍ତରିଆ ହୋଇ ପଡ଼ିରହିଛି ପାର୍କ । ଯାଜପୁର ସହରରେ ୨୨ କୋଟି ବିନିମୟରେ କ୍ରୀଡ଼ା କମ୍ପ୍ଲେକ୍ସ, ୧୫ କୋଟି ବିନିମୟରେ ଖଣିଜ ପାଣ୍ଠି କାର୍ଯ୍ୟାଳୟ ନିର୍ମାଣ ହେଉଛି । ଖାଲି ଏତିକି ନୁହେଁ ନିର୍ଦ୍ଧାରିତ ସୀମା ଡେଇଁ ସ୍କୁଲ ପାଚେରୀ ତ କେଉଁଠାରେ ପାର୍କ କରି ଖଣିଜ ପାଣ୍ଠିକୁ ଉଡ଼ାଇ ଦେଇଥିବା ଅଭିଯୋଗ ହୋଇଛି ।
ଝାରସୁଗୁଡ଼ା
ଗତ ୫ ବର୍ଷରେ ଝାରସୁଗୁଡ଼ା ଜିଲ୍ଳାରେ ଖଣି ପାଣ୍ଠିରୁ ପାଖାପାଖି ୮୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥ୍ୟ ଅନୁଯାୟୀ ଜିଲ୍ଲା ଖଣିଜ ପାଣ୍ଠିରୁ ମୋଟା ଅଂଶ କୋଭିଡ୍ ହସ୍ପିଟାଲ ନିର୍ମାଣ ଓ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିରେ ଖର୍ଚ୍ଚ କରାଯାଇଛି । ଏଥିସହ ବୃକ୍ଷରୋପଣ, ନୂତନ ଶ୍ରେଣୀ ଗୃହ ନିର୍ମାଣ , ପୋଖରୀ ଖନନ ଓ ତାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଛି । ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଅନୁଗୁଳ
କୋଟି କୋଟି ଟଙ୍କା ବ୍ୟୟରେ ଅନୁଗୁଳର କ୍ରିଷ୍ଣାସାଗର ପ୍ରକଳ୍ପ କାମ ଚାଲିଛି । କିନ୍ତୁ ବିଡମ୍ବନାର ବିଷୟ ୨୦୨୩ରୁ ଏହା ଆରମ୍ଭ ହୋଇଥିଲେ ବି କାମ ସରିବାର ନାଁ ନେଉନି । ଅନ୍ୟପଟେ ଏହି ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଏହି ତିନି ଜିଲ୍ଲାର ଏତିକି ପ୍ରକଳ୍ପ ନୁହେଁ ଖଣିଜ ପାଣ୍ଠି ଖର୍ଚ୍ଚ ହେଉଥିବା କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଳାର ସମାନ ଅବସ୍ଥା । ତେବେ ଯାଞ୍ଚକାରୀ ସଂସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସତ ପଦାକୁ ଆସିବ ।