କନକ ବ୍ୟୁରୋ : ଖଣିଜ ପାଣ୍ଠି ବ୍ୟବହାର ନାଁରେ ଶହ ଶହ କୋଟି ଉଡ଼େଇଦେଲେ । ସରକାର ଯେତେ ନିଷ୍ପତ୍ତି ନେଲେ, ସବୁ ଅଧାରେ ଅଟକିଲା । ଏବେ ସେହି ଖଣିଜପାଣ୍ଠି ଦୁର୍ନୀତି ଧରିବାର ଦାୟିତ୍ୱ ମିଳିଛି ବିଦେଶୀ ସଂସ୍ଥାକୁ । ଯେଉଁ ସଂସ୍ଥା ସବୁ ସତ ଖୋଜିକି କାଢ଼ିବ ।

Advertisment

ଖଣି ଦୁର୍ନୀତିକୁ ଟପି ଯାଇଥିଲା ଖଣିଜ ପାଣ୍ଠିର ଦୁର୍ନୀତି । ଶହ ଶହ କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି ଖଣି ଜିଲ୍ଲାରୁ  । କିଏ କେତେ ଖାଇଛି, କିଏ କେତେ ବାଣ୍ଟିଛି ? ତାର ହିସାବ ନଥିଲା ସରକାରଙ୍କ ପାଖରେ । ଯାହାକୁ ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଆଜି ଲୋକସେବା ଭବନରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଡିଏମ୍‌ଏଫ୍‌ ଖର୍ଚ୍ଚର ସମୀକ୍ଷା ହୋଇଛି । ନିଷ୍ପତ୍ତି ହୋଇଛି ତିନି ଚର୍ଚ୍ଚିତ ଜିଲ୍ଲା ଅନୁଗୁଳ, ଝାରସୁଗୁଡ଼ା ଓ ଯାଜପୁରର ଡିଏମ୍‌ଏଫ୍‌ ଖର୍ଚ୍ଚ, ଯୋଜନାର କ୍ରିୟାନ୍ୱୟନ ଓ ଲୋକେ ଏଥିରୁ କେତେ ସୁବିଧା ପାଇଛନ୍ତି ? ତା’ର ଯାଞ୍ଚ କରିବ ଅନ୍ତର୍ଜାତୀୟ ସଂସ୍ଥା ‘ଗ୍ରାଣ୍ଟ ଥୋରାଣ୍ଟନ୍‌’ ।

ତୃଣମୂଳରେ ଘରକୁ ଘର ସର୍ଭେ, ଲୋକଙ୍କ ସହ ବୈଠକ, କେଉଁ ଟଙ୍କା କେଉଁଠି ଲାଗିଛି ? କେଉଁ ପ୍ରକଳ୍ପ ସରିଛି, କେଉଁଟି ଅଧପନ୍ତରିଆ ? ତାର ଛାନଭିନ୍‌ କରି ରିପୋର୍ଟ ଦେବେ । ସେପ୍ଟେମ୍ବର ସୁଦ୍ଧା ଯାଞ୍ଚ ସାରି ରାଜ୍ୟ ସରକାରଙ୍କୁ ପୂରା ତଥ୍ୟ ଦେବାକୁ ଦାୟିତ୍ୱ ନେଇଛି ‘ଗ୍ରାଣ୍ଟ ଥୋରାଣ୍ଟନ୍‌’ ।

ଯିଏ ଯେମିତି ପାରୁଥିଲା ବୁଲାଉଥିଲା ଖଣିଜ ପାଣ୍ଠି । ଗୋଟିଏ ଜିଲ୍ଲାର ପାଣ୍ଠି ଅନ୍ୟ ଜିଲ୍ଲାକୁ ବି ପଳାଉଥିଲା । ଖଣି ପ୍ରଭାବିତ ଅଞ୍ଚଳ ଛାଡ଼ି ପାଣ୍ଠି ଚାରିଆଡ଼ ବୁଲୁଥିଲା । କିନ୍ତୁ ଏହାକୁ ରୋକିବାକୁ ସରକାର ନେଉଥିବା ନିଷ୍ପତ୍ତି ଡେଉଁନଥିଲା ଲୋକସେବା ଭବନ ବାରଣ୍ଡା । ତଥ୍ୟ କହୁଛି, ୩୦,୦୫୦ କୋଟି ଡିଏମ୍‌ଏଫ୍‌ ସଂଗ୍ରହ କରିଛି ରାଜ୍ୟ । ଅନୁଗୁଳରେ ୩୮୫୭.୧୮ କୋଟି, ଝାରସୁଗୁଡ଼ାରେ ୧୫୪୯.୩୨ କୋଟି, ଯାଜପୁରରେ ୨୪୩୪.୫୫ କୋଟି ଆଦାୟ ହୋଇଛି । ସେଥିରୁ ୧୨,୪୦୨ କୋଟି ଖର୍ଚ୍ଚ ହୋଇଛି । ଆହୁରି ୧୭,୬୪୭ କୋଟି ଅର୍ଥାତ୍‌ ୫୯% ଅବ୍ୟବହୃତ ହୋଇ ପଡ଼ିରହିଛି ।

ଏ ସବୁ ଜିଲ୍ଲାରୁ ଯାଞ୍ଚ ଆରମ୍ଭ ହୋଇ ଅନ୍ୟ ଆଡ଼କୁ ବି ଯାଇପାରେ ବୋଲି କୁହାଯାଉଛି । ବିଶେଷତଃ ସୁନ୍ଦରଗଡ଼ ଜିଲ୍ଲାକୁ ଏହା କେବେ ଛୁଇଁବ ଓ ନୂଆ ସରକାରରେ ଏହି ଯାଞ୍ଚ କେତେ ସତ ପଦାକୁ ଆଣୁଛି ? ତା ଉପରେ ନଜର ।