କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ‘ଜଳବାୟୁ ପ୍ରବାସ - ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ ଶୀର୍ଷକ ଆାଲୋଚନାରେ ପ୍ରବାସ ଏବଂ ଶିକ୍ଷା, ସହାୟକ ଓ କାର୍ଯ୍ୟର ନିର୍ଦ୍ଦେଶକ ଉମି ଡାନିଏଲ କହିଲେ, ଓଡ଼ିଶାରେ ଶ୍ରମିକ ସ୍ଥନାନ୍ତର ଜାରି ରହିଛି ।
ସାତଭାୟାରେ ବହୁ ଲୋକ କେରଳକୁ ସ୍ଥାନାନ୍ତର ହୋଇଛନ୍ତି । ଏହା ମୁଖ୍ୟତଃ ଜୀବନ ଜୀବିକା ପାଇଁ ଘଟିଛି । ଲୋକେ କହୁଛନ୍ତି ଚାଷ ନ ହେବାରୁ ଚାଷୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ମାଛ ଧରୁଥିବା ଧୀବର କହୁଛନ୍ତି ମାଛ ଧରିବାରେ ଲାଭ ମିଳୁନି । ଏହାଦ୍ୱାରା ସେମାନେ ଅନ୍ୟ ସ୍ଥାନକୁ କାମ କରିବାକୁ ଯାଉଛନ୍ତି । ସୁରଟରେ ରାଜ୍ୟରେ ୭ରୁ ୮ ଲକ୍ଷ ଓଡ଼ିଆ ଅଛନ୍ତି । ଜୀବିକା ନଷ୍ଟ ହେବାରୁ ଲୋକେ ସ୍ଥାନାନ୍ତର ହେଉଛନ୍ତି ।
ରାଜ୍ୟର ୮୦% ଶ୍ରମିକ ଅଣକୁଶଳୀ । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ପ୍ରାକୃତିକ ବିପର୍ଯ୍ୟୟ ପରେ ସରକାର ଜୀବିକାର ବିକାଶ କରୁ ନାହାନ୍ତି । କେବଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସରକାରଙ୍କ କର୍ତ୍ତବ୍ୟ ସୀମିତ ରହୁଛି । ଫଳରେ ରୋଜଗାର ପାଇଁ ଲୋକେ ଅନ୍ୟ ସ୍ଥାନକୁ ଯାଉଛନ୍ତି ।
ରାଜ୍ୟରେ ଚାଷୀଙ୍କ ହାରାହାରି ବୟସ ୪୭ ବର୍ଷ ରହିଛି । ଏଭଳି ସ୍ଥିତି ଜାରି ରହିଲେ କୃଷିର ସ୍ଥିତି ରାଜ୍ୟରେ କ’ଣ ହେବ ତାହା ଚିନ୍ତା କରିବାର ବିଷୟ । ଓଡ଼ିଶାରେ ହେଉଥିବା ସ୍ଥାନାନ୍ତର ରୋକିବା ପାଇଁ ୧୯୭୫ରେ ଦାଦନ ଆଇନ ପ୍ରଣୟନ କରାଯାଇଥିଲା । ଭାରତରେ ଏକ ମାତ୍ର ରାଜ୍ୟ ଭାାବେ ଓଡ଼ିଶାରେ ସ୍ଥାନାନ୍ତର ନେଇ ପଞ୍ଜିକରଣ ହେଉଛି ।
ନରେଗାରେ ଲୋକଙ୍କୁ ୫୭% ଦିନର କାମ ପ୍ରଦାନ କରାଯାଉଛି । କିନ୍ତୁ ଲୋକେ ୧୮୦ ଦିନର କାମ ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ତେଲେଙ୍ଗାନା ଜାପାନ ସହିତ ତାଙ୍କର କେଉଁ ପ୍ରକାର କୁଶଳୀ ଶ୍ରମିକ ଆବଣ୍ୟକ ସେନେଇ ଚୁକ୍ତି କରିଛି । ତେଣୁ ରାଜ୍ୟରେ ଥିବା ଜିଲ୍ଲା ସ୍ତରୀୟ ମାଇଗ୍ରେସନ ରିସୋର୍ସ ସେଣ୍ଟର ମାଧ୍ୟମରେ ଲୋକଙ୍କୁ ଆବଶ୍ୟକ ସଚେତନତା ପ୍ରଦାନର ଆବଶ୍ୟକତା ରହିଛି ।
ଏବେ ଦାଦନକୁ ଦାଦନ ନକହି ଅନ୍ୟ କିଛି କହି ଲୋକଙ୍କୁ ପ୍ରୋତ୍ସାହିତ କରିବା ଜରୁରୀ । ସେମାନେ ରାଜ୍ୟର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଯୋଗଦାନ କରୁଛନ୍ତି । ଏହା ସହିତ ବିପର୍ଯ୍ୟୟ ପରିଚାଳନାରେ ଜୀବନ ଜୀବିକାକୁ ପ୍ରାଥମିକତା ଦେବାର ଆବଶ୍ୟତା ରହିଛି । ଗଞ୍ଜାମକୁ ୫ ହଜାର କୋଟି ଟଙ୍କାର ବାହାର ଅର୍ଥ ଆସିଛି । କିନ୍ତୁ ଗତ ୫ ବର୍ଷରେ ବାହାରକୁ କାମ କରିବାକୁ ଯାଇଥିବା ଲୋକଙ୍କର ୨୦୦ ମୃତଦେହ ଆସିଛି ।