କନକ ବ୍ୟୁରୋ: ନୂଆଁଖାଇ ପରେ ଘର ଛାଡୁଛନ୍ତି ଦାଦନ । କାଗଜପତ୍ରରେ ଶ୍ରମିକ ଚାଲାଣ ଯେତେ ବେଆଇନ୍ ବି ସେତେ । କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଜମୁଛି ଭିଡ଼ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ବେଆଇନ ଦାଦନ ଚାଲାଣର ଭିନ୍ନ ଦୃଶ୍ୟ ସାମନାକୁ ଆସିଛି। ତୁରେକେଲା, ଲଠୋର ଓ ମୁରିବାହାଲ ଷ୍ଟେସନ୍ ଦେଇ ଶ୍ରମିକ ଚାଲଣ କରାଯାଉଛି। ଟ୍ରେନ ଶୌଚାଳୟ ଓ ଚଲା ପଥରେ ବସି ରାଜ୍ୟ ବାହାରକୁ ଯାଉଛନ୍ତି ହଜାର ହଜାର ଶ୍ରମିକ। ଦାଦନ ଠିକାଦାର ଶ୍ରମିକ ଚାଳାଣ କରୁଛନ୍ତି। ହେଲେ କାଗଜ କଲମରେ ଯେତେ ବେଆଇନ୍ ଭାବେ ତା ଠାରୁ ଢେର ଅଧିକ ବୋଲି ଜଣାପଡ଼ିଛି।
ପୋଲିସ ଓ ଶ୍ରମ ବିଭାଗ କର୍ମଚାରୀଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଦାଦନ ଚାଲାଣ ନେଇ ବଲାଙ୍ଗୀରର ବଡ଼ବଡ଼ ହୋଟେଲ ଓ ପ୍ୟାଲେସରେ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ପୁଲିସ ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ! ଷ୍ଟେସନରେ ଶ୍ରମିକଙ୍କ କାଗଜ ପତ୍ର ଯାଞ୍ଚ କରାଯାଉନି ! ଯଦି ଯାଞ୍ଚ କରାଯାଆନ୍ତା ତେବେ ଦାଦନ ଦଲାଲଙ୍କ ଅସଲ ମୁଖା ଖୋଲନ୍ତା । ରେଳ ବିଭାଗର ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି। କଣ୍ଟାବାଞ୍ଜି ବ୍ଲକର ୧୯ଟି ପଞ୍ଚାୟତରୁ ଦାଦନ ରାଜ୍ୟ ବାହାରକୁ ଯାଉଛନ୍ତି । ନୂଆଁଖାଇ ପରେ ଶ୍ରମିକଙ୍କୁ ଆଗୁଆ ଟଙ୍କା ଦେଇ ନେଇଯାଉଛନ୍ତି ଠିକାଦାର। ଛୋଟ ଷ୍ଟେସନରେ ଶ୍ରମିକଙ୍କୁ ଟ୍ରେନ ଯୋଗେ ପଠାଇ ଦେଉଛନ୍ତି।