କନକ ବ୍ୟୁରୋ: ମଧ୍ୟପ୍ରଦେଶକୁ ଦାଦନ ଖଟିବାକୁ ଯାଇ ମହିଳାଙ୍କ ହାତ କଟିଗଲା । କେମିତି ହାତ କଟିଲା ତାହା ସଂପୃକ୍ତ ମହିଳାଙ୍କୁ ବି ଜଣାନାହିଁ । ଏବେ ବଡ଼ ଦୁର୍ଦ୍ଦିନରେ କଟୁଛି ଜୀବନ । ବରଗଡ ବିଜେପୁରରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା । ସବୁଠାରୁ ବଡ଼ କଥା ହେଲା, ପୁଲିସ ଏଫଆଇଆର ରଖିବାକୁ ମନା କରିଦେଇଛି ।   

Advertisment

 
ବରଗଡ ଜିଲ୍ଲା ବିଜେପୁର ଅଞ୍ଚଳର ପଡ଼ାଗାଁ । ଏହି ଗାଁରୁ ଦାଦନର ଯେଉଁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ତାହା ଛାତି ଥରାଇଦେବା ଭଳି । ବାହାର ରାଜ୍ୟକୁ କାମ କରିବାକୁ ଯାଇ କଟାହାତ ନେଇ ଫେରିଛନ୍ତି ପଡା ଗାଁର ରୀନା ମହାନନ୍ଦ l ଯନ୍ତ୍ରଣାରେ ତାଙ୍କ ଜୀବନ ଏବେ ଛଟପଟ ହେଉଛି । ରୀନାଙ୍କ କହିବା ଅନୁସାରେ, ବରଗଡର ମମତା ନାମକ ଜଣେ ମହିଳା ତାଙ୍କ ସମ୍ପର୍କୀୟଙ୍କ ଘରେ କାମ କରିବାକୁ କହି ମଧ୍ୟପ୍ରଦେଶକୁ ନେଇଯାଇଥିଲେ l କିନ୍ତୁ ହଠାତ ଏକ ଦୁର୍ଘଟଣା ଘଟିଥିଲା । ରୀନାଙ୍କ ହୋସ ଆସିଲାବେଳକୁ ସେ ମେଡିକାଲରେ ଥିଲେ । ଡାକ୍ତର କହିଲେ, ଦୁର୍ଘଟଣାରେ ତାଙ୍କ ହାତ କଟିଯାଇଛି । କିନ୍ତୁ  

ରୀନାଙ୍କ ଦୁଃଖରେ ମଲମ ଲଗାଇବ କିଏ?
ଦୋଷୀଙ୍କୁ ମିଳିବ କି ଦଣ୍ଡ ?

ବିଜେପୁର ଅଞ୍ଚଳର ବୁଣାକାର ସୁରକାର ମହାନନ୍ଦଙ୍କ ଝିଅ ହେଉଛନ୍ତି ରୀନା  l ସ୍ୱାମୀ କିଛି ବର୍ଷ ତଳେ ପ୍ରାଣ ହରାଇଛନ୍ତି ।  ଏବେ ସେ ବାପାମାଆଙ୍କ ସହିତ ପଡା ଗ୍ରାମରେ ରହୁଥିଲେ l  ରୀନାଙ୍କ ପରିବାର ବହୁତ ଗରିବ । ବାପା ଲୁଗା ବୁଣି ପରିବାର ଚଳାନ୍ତି l  ଏବେ ରୀନାଙ୍କ ହାତ କଟିବା ପରେ ଚିନ୍ତା ବଢି ଯାଇଛି । ତେବେ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣି ନଥିଲେ l ଏହି ପରିବାର ଏବେ ଅସହାୟ ଅବସ୍ଥାରେ ଅଛନ୍ତି ।  ଘଟଣାର ଅଧିକ ତଦନ୍ତ ପାଇଁ ପ୍ରଶାସନ ଉପରେ ଚାପ ବଢିବାରେ ଲାଗିଛି । 
 
ରୀନାଙ୍କ କଥାକୁ ଗୁରୁତର ଭାବେ ନେଲେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି,
-ରୀନାଙ୍କୁ କେଉଁ ଜାଗାକୁ ନେଇଥିଲେ ବରଗଡ଼ ମହିଳା ? 
- ଏହା ପଛରେ କି ଡିଲ୍ ହୋଇଥିଲା ?
-ଯେଉଁମାନେ କାମରେ ରଖିଥିଲେ ସେମାନେ କାହଁକି ପହଞ୍ଚିଲେ ନାହିଁ ? 
-ପ୍ରକୃତରେ ଦୁର୍ଘଟଣା ଘଟିଛି ନା ଆଉ କିଛି ରହସ୍ୟ ରହିଛି ? 
-ପ୍ରଶାସନ କିଛି ପଦେକ୍ଷପ ନେବ କି ?
- ପ୍ରଥମରୁ ପୁଲିସ କାହିଁକି ପଦକ୍ଷେପ ନେଲାନି ?