କନକ ବ୍ୟୁରୋ : ଆମ୍ବୁଲାନ୍ସରେ ବୁହା ହୋଇ ଗାଁରେ ପହଞ୍ଚିଲା ୨୫ ବର୍ଷିୟା ଭେଣ୍ଡିଆ ପୁଅର ଶବ। ମାଆ ଆଗରେ ପୁଅର କୋକେଇ ଉଠିଛି। ଯାହା କାନ୍ଧରେ ସେ ମଶାଣି ଯିବ ବୋଲି ଆଶା ଥିଲା, ସେ ଆଉ କାହା କାନ୍ଧରେ ମଶାଣି ଯାଇଛି। ଯିଏ ମାଆ ମୁହଁରେ ନିଆଁ ଦେଇଥାନ୍ତା, ତା ମୁହଁରେ ଆଜି ଆଉ କିଏ ନିଆଁ ଦେଇଛି।  ଏ ଦୁଃଖକୁ କେଉଁ ମାଆ କେମିତି ସହିବ। ବାହୁନି ବାହୁନି ମା କାନ୍ଦୁଛି, ଗାଁ କାନ୍ଦୁଛି। କଳାହାଣ୍ଡି କୋକସରା ଥାନା ସୁପାଡ ନାଏକପଡାକୁ ଦାଦନ ଶ୍ରମିକଙ୍କ ଶବ ଫେରିବା ପରେ ଏଭଳି ଶୋକାକୁଳ ପରିବେଶ ସୃଷ୍ଚି ହୋଇଛି। ଦେଖନ୍ତୁ ଏହି ରିପୋର୍ଟ । 

Advertisment

ଏ ଦୁଃଖ ସେହି ଦାଦନ ପ୍ରବଣ କଳାହାଣ୍ଡି ଜିଲ୍ଲାର। ବାପା-ମାଆ ଓ ଭାଇ-ଭଉଣୀକୁ କେତେ ଆଶା ଦେଇ ଦାଦନ ଖଟିବାକୁ ଯାଇଥିଲା ବଡ଼ପୁଅ। ଭୋକ ପାଇଁ ଭିଟାମାଟି ଛାଡ଼ିଥିଲା୨୫ ବର୍ଷିୟ ଭେଣ୍ଡିଆ ପୁଅ। ହାଇଦ୍ରାବାଦରେ ଠିକା ଶ୍ରମିକ ଭାବେ କାମ କରୁଥିଲା। ପୁଅ କାମ ପାଇଥିବା ଜାଣି ପରିବାର ଭାବିଥିଲେ, ଅଭାବ ହଟିଯିବ, ଦୁଃଖ ଅପସରି ଯିବ। ହେଲେ ବିଧିର ବିଧାନ କିନ୍ତୁ କିଛି ଅଲଗା ଥିଲା। ଅଭାବି ପରିବାରର ଦୁଃଖ ସରିଲାନି ବରଂ ଏକ ଅପୂରଣୀୟ କ୍ଷତି ଘଟିଗଲା। ଦାଦନ ଖଟୁଥିବା ପୁଅ ଅକାଳରେ ପ୍ରାଣ ହରାଇଲା।

କୋକସରା ବ୍ଲକ ସୁପାଡ ନାଏକପଡ଼ା ଗାଁର ପଦୁଲୋଚନ ଧଙ୍ଗଡା ମାଝୀ ହାଇଦ୍ରାବାଦରେ ଠିକା ଶ୍ରମିକ ଭାବେ ଖଟୁଥିଲେ । ଗତ ଗୁରୁବାର ଦିନ ଜ୍ଵର ସହ ଝାଡାବାନ୍ତିରେ ତାଙ୍କର ମୃତ୍ୟୁ ହୋଇଥିବା ସାଥୀ ଶ୍ରମିକ ଘରକୁ ସୂଚନା ଦେଇଥିଲେ । ଠିକା ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ପଦୁଲୋଚନଙ୍କ ଶବ ଗାଁକୁ ଆସିଥିଲା। ଦାଦନର ଶବ ଭିଟାମାଟିରେ ପହଞ୍ଚିବା ପରେ ଶୋକକୁଳ ପରିବେଶରେ ଗାଁ ମଶାଣିରେ ଶେଷ କୃତ୍ୟ ସଂପନ୍ନ ହୋଇଛି।