କନକ ବ୍ୟୁରୋ: ଗାଜା ଉପତ୍ୟକାରେ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଇସ୍ରାଏଲର ଆକ୍ରମଣ କାରଣରୁ ଏଠାରେ ଶିଶୁମାନେ ଗୁରୁତର ଅପପୁଷ୍ଟି ଏବଂ ଅନାହାରର ଶିକାର ହେଉଛନ୍ତି । ଯାହା ଫଳରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ମାନବିକ ସଙ୍କଟ ଉପରେ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥା ବାରମ୍ବାର ଚେତାବନୀ ଦେଉଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନାହିଁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ୟୁନିସେଫ୍ ପରି ସଂସ୍ଥାମାନଙ୍କ ରିପୋର୍ଟ ଅନୁଯାୟୀ, ଗାଜାରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଉତ୍ତର ଗାଜାରେ ପ୍ରତି ୬ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଗୁରୁତର ଅପପୁଷ୍ଟିର ଶିକାର । ଜୁଲାଇ ମାସରେ ଅପପୁଷ୍ଟି କାରଣରୁ ମୃତ୍ୟୁ ସଂଖ୍ୟା ତୀବ୍ର ଭାବେ ବୃଦ୍ଧି ପାଇଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ଅତି କମରେ ୪୮ ଜଣ ଅପପୁଷ୍ଟି କାରଣରୁ ମୃତ୍ୟୁବରଣ କରିଛନ୍ତି, ଯେଉଁଥିରେ ୨୦ ଜଣ ଶିଶୁ ଅନ୍ତର୍ଭୁକ୍ତ । ଏହା ପୂର୍ବ ପାଞ୍ଚ ମାସରେ ମୃତ୍ୟୁବରଣ କରିଥିବା ୧୦ ଜଣ ଶିଶୁଙ୍କ ତୁଳନାରେ ଏକ ବଡ଼ ବୃଦ୍ଧି । ୟୁନିସେଫ୍ ଅନୁଯାୟୀ, ଗତ ୨୦ ମାସ ଧରି ଚାଲିଥିବା ଯୁଦ୍ଧ ଏବଂ ଅବରୋଧ କାରଣରୁ ଗାଜାରେ ପିଇବା ପାଣିର ଘୋର ସଙ୍କଟ ଦେଖାଦେଇଛି, ଯାହା ହଜାର ହଜାର ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହରେ ହିଁ ୫୦୦୦ରୁ ଅଧିକ ଶିଶୁଙ୍କୁ ଅପପୁଷ୍ଟି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୧୮% ଗୁରୁତର ଅବସ୍ଥାରେ ଅଛନ୍ତି ।
ଏପଟେ ସହାୟତା ସଂସ୍ଥାଗୁଡ଼ିକର କହିବାନୁଯାୟୀ, ଇସ୍ରାଏଲ ଦ୍ୱାରା ଲଗାଯାଇଥିବା କଠୋର ପ୍ରତିବନ୍ଧକ ଯୋଗୁଁ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ଜରୁରୀ ସାମଗ୍ରୀ ଗାଜାରେ ପହଞ୍ଚି ପାରୁନାହିଁ । ଏହାଦ୍ୱାରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଅନେକ ସମୟରେ ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିବା ଲୋକଙ୍କ ଉପରକୁ ଫାଇରିଙ୍ଗ ହେଉଥିବାର ମଧ୍ୟ ଖବର ଆସୁଛି । ଯାହା ଅତ୍ୟନ୍ତ ଦୁଃଖଦ କଟଣା । ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ଅନୁଯାୟୀ, ଖାଦ୍ୟ ପାଇବାକୁ ଚେଷ୍ଟା କରୁଥିବା ବେଳେ ୧,୦୫୪ରୁ ଅଧିକ ଲୋକ ନିହତ ହୋଇଛନ୍ତି ।
ଏହି ଭୟଙ୍କର ପରିସ୍ଥିତିକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଲୋକମାନେ ପ୍ରଶ୍ନ କରୁଛନ୍ତି, "କ'ଣ ପ୍ରତିଦିନ ହଜାରେ ପାଲେଷ୍ଟାଇନୀ ଶିଶୁଙ୍କ ମୃତ୍ୟୁକୁ ଅପେକ୍ଷା କରାଯାଇଛି ? ଯାହା ପରେ ବିଶ୍ୱ ଗାଜାରେ ଅନାହାରର ସତ୍ୟତାକୁ ସ୍ୱୀକାର କରିବ?" ଏହି ପ୍ରଶ୍ନ ଆନ୍ତର୍ଜାତୀୟ ସମୁଦାୟର ସାମୂହିକ ବିଫଳତାକୁ ପଦାରେ ପକାଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଗାଜାରେ ଏକ ବଡ଼ଧରଣର ଦୁର୍ଭିକ୍ଷର ଆଶଙ୍କା କରାଯାଉଛି , ଯାହା ଅସଂଖ୍ୟ ଜୀବନ ନେଇପାରେ । ସମଗ୍ର ବିଶ୍ୱକୁ ତୁରନ୍ତ ଏକଜୁଟ ହୋଇ ଗାଜାର ଶିଶୁମାନଙ୍କୁ ବଞ୍ଚାଇବା ପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।