କନକ ବ୍ୟୁରୋ: ଥିଲା ଥିଲା ସାଉଦି ଆରବରେ ବର୍ଷା କାଚିଦେଲା । ଏମିତି ବର୍ଷା ହେଲା ଯେ ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଯାହା ଏବେ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । କାରଣ ଆମେ ସମସ୍ତେ ଜାଣନ୍ତି କି ସାଉଦି ଆରବ ମରୁଭୂମୀ ଇଲାକା । ସେଠାରେ ବର୍ଷା ହୁଏ ନାହିଁ । ପାଣି ପାଇଁ ସେଠାକାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସାମ୍ନା କରନ୍ତି । ହେଲେ ସାଉଦି ଲୋକଙ୍କର ପ୍ରାର୍ଥନା ଶୁଣିଛନ୍ତି ଭଗବାନ । ଆଉ ଭଲ ବର୍ଷା କରାଇଛନ୍ତି । 

Advertisment

ଯେଉଁଠି ଦିନେ ବର୍ଷା ହେଉନଥିଲା, ସେଇଠି ଏବେ କାଚି ଦେଲା । ଖାଲି ବର୍ଷା ହୋଇଛି ତାହା ନୁହେଁ ବରଂ ଏତେ ମାତ୍ରାରେ ହୋଇଛି ଯେ ଏବେ ସେଠାରେ ହାଇଆଲର୍ଟ ଜାରି କରାଯାଇଛି । ସୂଚନା ଅନୁସାରେ, ମକ୍କା ଓ ମଦିନା ସହ ଅନେକ ଅଂଚଳରେ ଝଡ଼ ତୋଫାନ ସହ ବର୍ଷା ହୋଇଛି । ସ୍ଥିତି ତ ଏମିତି ହୋଇଛି ରାସ୍ତାରେ ଚାଲିବା ବି କଷ୍ଟକର ହୋଇ ପଡ଼ିଛି । ଜଳବନ୍ଦୀ ଅବସ୍ଥାରେ ଲକ୍ଷାଧିକ ଲୋକ ଅଛନ୍ତି । ପ୍ରବଳ ବର୍ଷାରେ ଅନେକ ରାସ୍ତା ଧୋଇ ଯାଇଥିବା ଜଣାପଡ଼ିଛି । 

ସାଉଦି ଆରବର ଜଳସଂପଦ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ହେବାରୁ ପାଣି ଜମିଛି । ଖାସ କରି ମଦିନା ଅଂଚଳରେ ୪୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହ ଅନ୍ୟ ସହରରେ ୩୮ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବା ଜଣାପଡ଼ିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, କିଛିଦିନ ପର୍ଯ୍ୟନ୍ତ ପାଗ ଏମିତି ରହିପାରେ । ଗତ ରବିବାରରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି । ପ୍ରବଳ ବର୍ଷାକୁ ନଜରରେ ରଖି କିଛି ଅଂଚଳରେ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ଏବେ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନେ ସାବଧାନତାର ସହ ବାହାରିବାକୁ ପରାମର୍ଶ ଦିଆଯାଇଛି । 

ଏଠାରେ କହିରଖୁଛୁ କି, ପୂର୍ବରୁ ସାଉଦି ପରି ଭାରତର ମରୁଭୂମିରେ ବି ପ୍ରବଳ ବର୍ଷା ହୋଇଥିଲା । ଜୁନ୍‌ରେ ରାଜସ୍ଥାନରେ ଏମିତି ବର୍ଷା ହୋଇଥିଲା ଯେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିଲା । ପାଖାପାଖି ୧୮୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଥିଲା । ଏମିତି ବର୍ଷା ବିତ୍ପାତ ୧୯୦୨ ମସିହାରେ ହୋଇଥିବା ରେକର୍ଡ କରାଯାଇଥିଲା । ୧୯୯୬ ଜୁନ୍‌ରେ ରାଜ୍ୟରେ ସର୍ବାଧିକ ୧୨୨.୮ ଏମ୍‌.ଏମ୍‌. ବର୍ଷା ହୋଇଥିବାବେଳେ ପୂର୍ବ ରାଜସ୍ଥାନରେ ହାରାହାରି ୧୧୮% ଅଧିକ ବର୍ଷା ହୋଇଥିଲା । ସେହି ମାସରେ ପଶ୍ଚିମ ରାଜସ୍ଥାନରେ ୨୮୭% ଅଧିକ ବର୍ଷା ହୋଇଥିଲା । ଚଳିତ ବର୍ଷର ପ୍ରଥମ ବାତ୍ୟା ବିପର୍ଯ୍ୟୟ ସକାଶେ ଜୁନ ୧୬ରୁ ୨୦ ମଧ୍ୟରେ ରାଜସ୍ଥାନର ଜାଲୋର, ପାଲି, ବାଡମେର, ଆଜମେରରେ ପ୍ରବଳ ବର୍ଷା ହୋଇଥିଲା। ସେ ସମୟରେ ଜାଲୋରରେ ସର୍ବାଧିକ ୪୦୦.୫ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିଲା।