କନକ ବ୍ୟୁରୋ : ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧର ଆଜି ପଞ୍ଚମ ଦିନ । ଏଥିରେ ଉଭୟ ଦେଶ ପରସ୍ପର ଉପରେ ମିସାଇଲ ଓ ଡ୍ରୋନ ସହାୟତାରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ତେହେରାନକୁ ଖାଲି କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଚୀନ ଆଜି ଇସ୍ରାଏଲରେ ରହୁଥିବା ନିଜ ନାଗରିକଙ୍କୁ ତୁରନ୍ତ ଇସ୍ରାଏଲ ଛାଡିବାକୁ ପରାମର୍ଶ ଦେଇଛି । ଏହି ଦୁଇ ମହାଶକ୍ତିଶାଳୀ ଦେଶର ଏଭଳି ପରାମର୍ଶ ପରେ ସାରା ବିଶ୍ୱରେ ଯୁଦ୍ଧର ଭୟାବହତା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । କାରଣ ଗୋଟିଏ ପଟେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଚୀନ ଇରାନ ସପକ୍ଷରେ ଠିଆ ହୋଇଛି । 

Advertisment

ଜୁନ ୧୩ ତାରିଖରେ ଇସ୍ରାଏଲ ଇରାନର ପରମାଣୁ ଓ ସେନା ଠିକାଣା ଉପରେ ଆକ୍ରମଣ କରିଥିଲା । ଏହାକୁ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ନାମ ଦେଇଛି । ଏହି ଆକ୍ରମଣରେ ଇରାନର ଅନେକ ସେନା କମାଣ୍ଡର ଓ ପରମାଣୁ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଜବାବରେ ଇରାନ ଇସ୍ରାଏଲ ଉପରେ ଶହ ଶହ ମିସାଇଲ ଓ ଡ୍ରୋନ ସହାୟତାରେ ଆକ୍ରମଣ କରୁଛି । ଯେଉଁଥିରେ ଇସ୍ରାଏଲର ରାଜଧାନୀ ତେଲ ଅବିବ୍ ଓ ହାଇଫା ଭଳି  ସହର ଧ୍ୱଂସ ହୋଇଯାଇଛି ।

ଏହି ଯୁଦ୍ଧ ଭିତରେ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବିଶ୍ୱବାସୀଙ୍କୁ ଚମକାଇ ଦେଇଛନ୍ତି । ସେ ଲେଖିଥିଲେ କି ମୋ ତରଫରୁ ଇରାନକୁ ଦିଆଯାଇଥିବା ଚୁକ୍ତି ଉପରେ ଇରାନ ସ୍ୱାକ୍ଷର କରିବା ଦରକାର । ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ନମିଳିବା ଦରକାର । ଏହାସହ ସମସ୍ତେ ତେହେରାନ ଛାଡି ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । 

ଟ୍ରମ୍ପଙ୍କର ଏଭଳି ବୟାନ ପରେ ଏବେ ଚୀନ ଦୂତାବାସ ମଧ୍ୟ ଇସ୍ରାଏଲରେ ରହୁଥିବା ଚୀନ ନାଗରିକଙ୍କୁ ତୁରନ୍ତ ଇସ୍ରାଏଲ ଛାଡିବାକୁ ପରାମର୍ଶ ଦେଇଛି । ପ୍ରଥମେ ଆମେରିକା ଓ ପରେ ଚୀନ ତରଫରୁ ଏଭଳି ବୟାନ ଆସିବା ପରେ ଯୁଦ୍ଧର ଭୟାବହତା ନେଇ ଆଶଂକା ସୃଷ୍ଟି ହୋଇଛି । ଯୁଦ୍ଧ ଇସ୍ରାଏଲ ଓ ଇରାନ ଭିତରେ ଚାଲିଥିବା ବେଳେ ଆଗାମୀ ଦିନରେ ଏହି ଯୁଦ୍ଧରେ ଚୀନ ଓ ଆମେରିକା ସାମିଲ ହେବା ନେଇ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।