କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଭୟାନକ ଯୁଦ୍ଧ ଭିତରେ ଇରାନ୍ ଓ ଆମେରିକାର ଜିଦ୍ ଆରମ୍ଭ କରିଛି ନୂଆ ବିବାଦ । ଆମେରିକାର ନିସର୍ତ୍ତ କ୍ଷମା ଦାବିକୁ ଅବାସ୍ତବ କହି ଚୁଟକିରେ ଉଡାଇ ଦେଇଛି ଇରାନ୍ । ଏପଟେ ଇସ୍ରାଏଲ ଘନଘନ ଆକ୍ରମଣ କରି ତେହେରାନକୁ ଦୋହଲାଇ ଦେଇଛି। ସେପଟେ ଆରବ ଦେଶ ଗୁଡିକ ଇରାନ ଆଗାମୀ ପ୍ରହାରକୁ ସମ୍ଭାଳିବା ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବେ ସାରା ବିଶ୍ୱକୁ ଅସ୍ଥିରତା ମଧ୍ୟକୁ ଠେଲି ଦେଇଛି । ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ବୟାନ ଏବେ ବଢାଇଛି ଯୁଦ୍ଧର ଗମ୍ଭୀରତା। ମରିବୁ ପଛେ ଆମେରିକା ଆଗରେ ଆତ୍ମସମର୍ପଣ କରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିଜର ସ୍ୱାଭିମାନ ଆଗରେ ମୃତ୍ୟୁକୁ ସ୍ୱୀକାର କରିବାକୁ ପଣ କରିଛି ଇରାନ । ଦେଶବାସୀଙ୍କୁ ସମ୍ୱୋଧନ କରି ଏଭଳି ବାର୍ତ୍ତା ଦେବା ଆମେରିକା ଓ ଇସ୍ରାଏଲର ଚିନ୍ତା ବଢାଇ ଦେଇଛି। ଏଥିସହ ପଡୋଶୀ ଦେଶକୁ ଆକ୍ରମଣ କରିଥିବାରୁ ନିସର୍ତ୍ତ କ୍ଷମା ମାଗିଛନ୍ତି ଇରାନ୍ ରାଷ୍ଟ୍ରପତି । ଏପଟେ ଇରାନ୍ ଆତ୍ମସମର୍ପଣ ନକଲା ପର୍ଯ୍ୟନ୍ତ କୌଣସି ଚୁକ୍ତି ହେବନି କିମ୍ବା ଯୁଦ୍ଧରେ ପୂର୍ଣ୍ଣଛେଦ ପଡିବ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଏହାରି ଭିତରେ ଇରାନର ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଅକାମୀ କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ବିଭିନ୍ନ ସ୍ଥାନରେ ମୁତୟନ ଥିବା ଇରାନୀ ଜାହାଜକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା ।
ଏପଟେ ଇସ୍ରାଏଲ କିନ୍ତୁ ଯୁଦ୍ଧକୁ ବନ୍ଦ କରିବା ଲକ୍ଷ୍ୟରେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଶୁକ୍ରବାର ରାତିରେ ଇସ୍ରାଏଲର ୮୦ଟି ଯୁଦ୍ଧ ବିମାନ ଇରାନର ରାଜଧାନୀ ତେହରାନରେ ଆକ୍ରମଣ କରିଛନ୍ତି। ବୋମା ଆକ୍ରମଣରେ ତେହେରାନକୁ ଦୋହଲାଇ ଦେଇଛି ଇସ୍ରାଏଲ। ଇରାନର ସୈନ୍ୟ ଠିକଣା ଉପରେ ଶହଶହ ବୋମା ଆକାଶ ମାର୍ଗରୁ ଖସାଇଛି ଆଇଡିଏଫ୍ । ଆମେରିକା ମଧ୍ୟ ଇରାନ ରାଷ୍ଟ୍ରପତିଙ୍କ ଭାଷଣ ପରେ ଆହୁରି ଉଗ୍ର ହୋଇଛି। ଇଂଲଣ୍ଡର ଏକ ଏୟାରବେସ୍ରେ ସାଂଘାତିକ ଯୁଦ୍ଧାସ୍ତ୍ର ବି-ୱାନ୍ ଲାନ୍ସର ବୋମାକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ରିର୍ ଷ୍ଟାରମରଙ୍କ ଅନୁମତି ପରେ ଆମେରିକା ଯୁଦ୍ଧ ମଇଦାନକୁ ଆହୁରି ରକ୍ତାକ୍ତ କରିବାକୁ ଆରମ୍ଭ କରିଛି ଉଦ୍ୟମ । ପୂର୍ବରୁ ଆମେରିକାର ରକ୍ଷା ସଚିବ ମଧ୍ୟ ଯୁଦ୍ଧର ପରିଣାମ ନୂଆ ବିପର୍ଯ୍ୟୟ ଆଣିବ ବୋଲି କହିଥିଲେ ।
ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଆମେରିକାର ୧୪ ସୈନ୍ୟ ଠିକଣାକୁ ଧ୍ୱଂସ କରିଛି ଇରାନ । ଯାହାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ପାଖାପାଖି ୫ ବର୍ଷ ସମୟ ଲାଗିପାରେ । ଏପଟେ ଆରବ ଦେଶରେ ଆମେରିକା ଠିକଣା ଉପରେ ଇରାନର ଜୋରଦାର ହମଲା ମଧ୍ୟପ୍ରାଚ୍ୟ ଦେଶ ଗୁଡିକୁ ଚିନ୍ତାରେ ପକାଇଛି । ୯ଟି ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜରୁରୀ ବୈଠକ ଡାକିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/war-2026-03-07-19-40-31.jpg)