କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଗମ୍ଭୀର ହେଉଛି ଯୁଦ୍ଧ ସ୍ଥିତି। ସୁଧୁରିବା ବଦଳରେ ଜଟିଳ ରୂପ ନେଲାଣି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଫେସ୍ ଟୁ ଫେସ୍ ୱାର୍। ଇରାନର ଆକ୍ରମଣ ପରେ ଚିହିଁକି ଉଠିଥିବା ଇସ୍ରାଏଲ, ବଡ଼ ଧରଣର ଆଟାକ୍ ପାଇଁ ପ୍ରସ୍ତୁତ କରୁଛି ରଣନୀତି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଲାଣି । ଭାରତରେ ବି ତୈଳ, ସୁନା, ଷ୍ଟକ୍ ମାର୍କେଟ ସହ ଅର୍ଥନୀତି ପ୍ରଭାବିତ ହେଲାଣି । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗଭୀର ଚିନ୍ତାଜନକ ବୋଲି ଏହି ବୈଠକରେ ଦର୍ଶାଯାଇଛି । ଏଥିସହ ଏହି ସଂକଟ ଆହୁରି ବ୍ୟାପକ ହେଲେ, ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ୍ ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ଭାରତକୁ କିଭଳି ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ, ସେସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏଥିସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ବି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଇରାନର ମିଜାଇଲ୍ ମାଡ଼ ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ, ଲେବାନନ ରାଜଧାନୀ ବେରୁଟର ୭ଟି ସ୍ଥାନରେ କରିଛି ଜୋରଦାର୍ ହମଲା । ତୁହାକୁ ତୁହା ଏୟାର ଷ୍ଟ୍ରାଇକ ସହ କରାଯାଇଛି ରକେଟ୍ ମାଡ଼ । ଆଗକୁ ଇରାନ ଉପରେ ବଡ ଧରଣର ଆକ୍ରମଣ ପାଇଁ ଚାଲିଛି ଯୋଜନା । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ବସିଛି ଏ୭ ରାଷ୍ଟ୍ର ସମୂହର ଜରୁରୀ ବୈଠକ । ଯେଉଁଥିରେ ଇରାନ ଉପରେ କଠୋର କଟକଣା ଲଗାଇବା ନେଇ ଆଲୋଚନା ହୋଇଛି । ଏଥିସହ ଇସ୍ରାଏଲକୁ ମଧ୍ୟ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାରି ଭିତରେ ହମାସର ଜଣେ ପ୍ରମୁଖ ନେତା ରାବି ମୁସ୍ତାହାକୁ ସେନା ନିପାତ କରିଥିବା ଇସ୍ରାଏଲ ଦାବି କରିଛି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଲାଣି
ମଧ୍ୟପ୍ରାଚ୍ୟ ଚିନ୍ତାରେ ଭାରତ
- ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ମଧ୍ୟପ୍ରାଚ୍ୟ ସ୍ଥିତିକୁ ଉପରେ ଆଲୋଚନା
- ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଆଲୋଚନା
- ଅମିତ ଶାହା, ରାଜନାଥ ସିଂ, ଏସ୍. ଜୟଶଙ୍କର, ନିର୍ମଳା ସୀତାରମଣ ସାମିଲ
- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ
- ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗମ୍ଭୀର
- ଆକ୍ରମଣକୁ ଚିନ୍ତାଜନକ କହିଲା ଭାରତ
- ସଂକଟକୁ କିଭଳି ମୁକାବିଲା କରାଯିବ ସେନେଇ ଚର୍ଚ୍ଚା
- ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଚର୍ଚ୍ଚା