କନକ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ଅତ୍ୟାବଶ୍ୟକ ଜିନିଷ ଦର । ବଜାର ଦର ମହଙ୍ଗାମାଡ଼ରେ ନୟାନ୍ତ ହୋଇପଡ଼ିଲେଣି ସାଧାରଣ ଜନତା । ଗାଁଠୁ ସହର ସବୁଠି ଦରକାମକୁ ନେଇ ଲୋକେ ଅତିଷ୍ଠ । ଖାଇବା ପିଇବାଠାରୁ ଆରମ୍ଭ କରି ପାଠପଢା, ଯିବା ଆସିବା, ମେଡିସନ୍ ସବୁ ଦାମ ତ ବଢ଼ୁଛି । ବଢ଼ୁଥିବା ଖର୍ଚ୍ଚକୁ ନେଇ ସାଧାରଣ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି ।
ସରକାର କହୁଛନ୍ତି ଗରିବ ଲୋକଙ୍କୁ ମିଳୁଛି ମାଗଣା ଚାଉଳ । ତାହେଲେ ଲୋକ କ’ଣ ଖାଲି ଭାତ ଖାଇବେ । ଅନ୍ୟ ସବୁ ଖର୍ଚ୍ଚ ବା ମୁଣ୍ଡ ଘୁରେଇ ଦେଉଛି । ୱାର୍ଲ୍ଡ ପ୍ୟାନେଲ ଇଣ୍ଡିଆ ସର୍ଭେ ରିପୋର୍ଟ ଅନୁସାରେ , ଚଢ଼ା ବଜାର ଦର ଯୋଗୁଁ ୩ ବର୍ଷରେ ଭାରତୀୟଙ୍କ ପାରିବାରିକ ଖର୍ଚ୍ଚ ୩୩ ପ୍ରତିଶତ ବଢ଼ିଛି ଓ ୪୫ ପ୍ରତିଶତ ଭାରତୀୟ ଘର ଚଳାଇବାକୁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଖର୍ଚ୍ଚ କମାଇବାକୁ ଖର୍ଚ୍ଚ କାଟ୍ କରୁଛନ୍ତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ।
ରିପୋର୍ଟ କହୁଛି, ଭାରତରେ ଧନୀ, ଗରବଙ୍କ ମଧ୍ୟରେ ତାରତମ୍ୟ ବଢ଼ିବାରେ ଲାଗିଛି। ଧନୀ ଆହୁରି ଧନୀ ହେଉଛନନ୍ତି, ଗରିବ ଆହୁରି ଗରିବ ହେଉଛନ୍ତି ।ସହରରେ ରହୁଥିବା ମଧ୍ୟବିତ୍ତଙ୍କ ଖର୍ଚ୍ଚ ୩ ବର୍ଷରେ ୩୩ ପ୍ରତିଶତ ବଢ଼ିଛି । ଗାଁରେ ରହୁଥିବା ଲୋକଙ୍କ ଖର୍ଚ୍ଚ ବଢ଼ୁଥିଲେ ବି ସେମାନେ କମାଇବାକୁ ଭିନ୍ନ ଉପାୟରେ ଚେଷ୍ଟା କରୁଛନ୍ତି, ଯାହା ସହରରେ ରହୁଥିବା ଲୋକଙ୍କ ପାଇଁ କଷ୍ଟ ହେଉଛି । ଦେଶରେ ମାତ୍ର ୧୭ ପ୍ରତିଶତ ଲୋକ ସୁଖ ସ୍ବାଚ୍ଛନ୍ଦରେ ଜୀବନ ବିତାଉଥିବାବେଳେ ବାକି ବଞ୍ଚିବାକୁ ଯେପରି ସଂଘର୍ଷ କରୁଛନ୍ତି ।
ରିପୋର୍ଟକୁ ବାଦଦେଲେ ଖାଲି ଆଖିରେ ଆଜିକା ଦାମୀ ସମାଜରେ ଲୋକଙ୍କ କଷ୍ଟ ଜଳଜଳ ହୋଇ ଦେଖାଯାଉଛି । ରାଜ୍ୟରେ ବଢ଼ୁଛି ଭିକାରିଙ୍କ ସଂଖ୍ୟା । ଭୁବନେଶ୍ବରରେ ସର୍ବାଧିକ ଭିକାରି ଥିବା ରିପୋର୍ଟରୁ ଜଣାପଡ଼ିଛି । ଦି ଓଳି ଖାଇବା ଯୋଗଡ଼ କରିବା କଷ୍ଟକର ହୋଇପଡ଼ୁଛି । ଏଭଳି ସ୍ଥିତିରେ ରାଜ୍ୟରେ ଅପରାଧ, ରାହାଜାନି ବି ବଢ଼ିବାରେ ଲାଗିଛି । ସରକାର ସବୁ ଜାଣୁଛନ୍ତି , ହେଲେ ସାଧାରଣ ଲୋକଙ୍କ ଦୁଃଖ ବୁଝିବାକୁ କେହି ନାହିଁ ।