କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଚ୍ଛୁକ ଅଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପ ଆରମ୍ଭ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା, ଫଳରେ ଯାତାୟାତ ନେଇ ସମସ୍ୟା ଦେଖା ଦେଲା । ସଏଲ ଟେଷ୍ଟିଂ ସମୟରେ ଯଦି ଏଭଳି ସମସ୍ୟା ଉପୁଜି ଥାଆନ୍ତା ସ୍ଥିତି ଜଟିଳ ହେଇଥାନ୍ତା । ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment

ଭୁବନେଶ୍ୱରରେ ଯାତାୟାତକୁ ଅଧିକ ସୁବିଧା କରିବା ପାଇଁ ନିକଟରେ କ୍ୟାବିନେଟରେ ରିଙ୍ଗ୍ ରୋଡ୍‌କୁ ଅନୁମୋଦନ ମିଳିଛି । ଏହି ରାସ୍ତା ଖୋର୍ଦ୍ଧାରୁ ଭୁବନେଶ୍ୱର କଟକ ଦେଇ ଟାଙ୍ଗୀରେ ଶେଷ ହବ ।  ଏହି ୬ ଲେନ୍‌ ରାସ୍ତା କେବଳ ଭୁବନେଶ୍ୱର କଟକ ଖୋର୍ଦ୍ଧା ନୁହେଁ ସାରା ଓଡିଶା ପାଇଁ ସୁବିଧା ହେବ । ଏହାପରେ ସରକାର ଏକ ଟେକ୍ନିକାଲ୍‌ ଟିମ୍‌ ମଧ୍ୟ ଗଠନ କରିଛନ୍ତି, ବିଭିନ୍ନ ଜାଗାକୁ ଯାଇ ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ମେଟ୍ରୋ ପ୍ରକଳ୍ପ ବିଷୟରେ କଥା ହେବେ । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ କହିପାରିବିନି ମାତ୍ର ଭୁବନେଶ୍ୱର ମେଟ୍ରୋପଲିଟାନ ସିଟି  ଏବଂ ଏଠାରେ ମେଟ୍ରୋର ଆବଶ୍ୟକତା ରହିଛି, ଭବିଷ୍ୟତରେ ମେଟ୍ରୋ ମଧ୍ୟ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।