କନକବ୍ୟୁରୋ : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ବର୍ଷା କମିବା ସହିତ ତାପମାତ୍ରା ସାମାନ୍ୟ ବଢ଼ିପାରେ । ତାପମାତ୍ରାରେ ପ୍ରାୟ ୨ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରେକର୍ଡ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଠାରେ ସର୍ବାଧିକ ବର୍ଷା ୩୪ ମିଲିମିଟର ରେକର୍ଡ ହୋଇଛି । ସମ୍ପୂର୍ଣ୍ଣ ରାଜ୍ୟରେ ୬୧୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ଵାଭାବିକ ବୃଷ୍ଟି ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ ରହିଛି ।
ଯଦିଓ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ତଥାପି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଝଟକା ପବନ ବହିପାରେ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଜୁଲାଇ ୪ ଓ ୫ ବେଳକୁ ରାଜ୍ୟରେ ଆହୁରି ବର୍ଷର ପ୍ରଭାବ କମିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆସନ୍ତା ୬ ତାରିଖ ପରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।