କନକ ବ୍ୟୁରୋ : ସ୍କୁଲ୍‌ ହେଉ ବା କଲେଜ...ପାଠ ପଢ଼ା ସମୟରୁ ହିଁ ଛାତ୍ରଛାତ୍ରୀମାନେ ମନରେ ଭାବିବସନ୍ତି ଭବିଷ୍ୟତରେ କେଉଁ ପ୍ରଫେସନ୍‌ରେ ଯିବେ । ନିଜେ ଗୋଟିଏ ମାଇଣ୍ଡ୍‌ ସେଟ୍‌ କରି ବସନ୍ତି ଯେ ତାଙ୍କୁ କଣ ହେବାର ଅଛି । ସଫଳତା ପାଇବା ପାଇଁ ସେହି ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରନ୍ତି । କିନ୍ତୁ ଏହି ଚିନ୍ତାଧାରା ବର୍ତ୍ତମାନ ଏକ ପ୍ରତିଯୋଗିତା ପାଲଟି ଗଲାଣି । ଯେଉଁଥିପାଇଁ ଛାତ୍ରାବସ୍ଥାରୁ ହିଁ ମାନସିକ ଚାପ ଭିତରେ ବୁଡ଼ି ରହୁଛନ୍ତି ପିଲାମାନେ । ଆନ୍ଧ୍ରପ୍ରଦେଶର ଅମରାବତୀସ୍ଥିତ SRM ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଏକ ସର୍ଭେ ରିପୋର୍ଟ ଏହା ପ୍ରକାଶ କରିଛି ।

Advertisment

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଦେଶର କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଛି । ଯାହାକି ଏକ ଗୁରୁତର ସମସ୍ୟାର ରୂପ ନେଲାଣି । ସାରା ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ଗଭୀର ପ୍ରଭାବ ପଡୁଛି ।
ସୂଚନା ଅନୁସାରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଚିନ୍ତାରେ ରହୁଥିବାବେଳେ ୬୦ ପ୍ରତିଶତ ପିଲା ଗଭୀର ଡିପ୍ରେସନ୍‌ ଦେଇ ଗତି କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ମାନସୀକ ବିଷାଦ ଦେଖାଦେଉଛି । ଏହି ସର୍ଭେ ୧୮ରୁ ୨୯ ବର୍ଷ ବୟସର ପିଲାମାନଙ୍କ ଉପରେ କରାଯାଇଥିଲା । 

ମାନସିକ ଚାପ ବଢ଼ିବାର ଅନେକ କାରଣ ରହିଛି । ଶିକ୍ଷାଗତ ଚାପ, ପରୀକ୍ଷାର ଟେନସନ୍‌ , ଭବିଷ୍ୟତକୁ ନେଇ ଅନିଶ୍ଚିତତା, ଚାକିରି ସୁଯୋଗର ଅଭାବ ଏବଂ ପରିବାରର ଆଶା ଛାତ୍ରଛାତ୍ରୀଙ୍କ ଉପରେ ବହୁତ ଚାପ ପକାଇଥାଏ । ଏହା ବ୍ୟତୀତ, ସୋସିଆଲ ମିଡିଆର ପ୍ରଭାବ, ସାମାଜିକ ଭାବରେ ପ୍ରତିଯୋଗିତା ଏବଂ ଏକଲାପଣ ମଧ୍ୟ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । 

ଅଧ୍ୟୟନରୁ ଜଣା ପଡ଼ିଛି ଯେ ପୁଅମାନଙ୍କ ଅପେକ୍ଷା ଝିଅମାନେ ବେଶି ମାନସିକ ଚାପରେ ରହୁଛନ୍ତି । ନିଜର କ୍ୟାରିୟର , ବ୍ୟକ୍ତିଗତ ଜୀବନ , ସୁରକ୍ଷା ଚିନ୍ତା , ପରିବାରର ଆଶା ଓ ଚାକିରିକୁ ନେଇ ଡିପ୍ରେସନ୍‌ରେ ରହୁଛନ୍ତି ଝିଅମାନେ । ପୁଅମାନେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଘରୁ ବାହାରକୁ ଯିବା ପରେ ସେମାନଙ୍କ ମଧ୍ୟରେ ମାନସିକ ଚାପ ବଢୁଛି , ଏହାର କାରଣ ହେଉଛି ଆଧୁନିକ ଜୀବନଶୈଳରେ ବଢୁଥିବା ଖର୍ଚ୍ଚ ,ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗିତା ଏବଂ ଚାକିରିର ଭୟ । ଯଦି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଦୃଢ଼ ପଦକ୍ଷେପ ନିଆ ନଯାଏ  ତେବେ ଭାରତରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ହାର ଆହୁରି ବଢ଼ିପାରେ । 

ତେବେ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର ସ୍ଥାପନ କରିବା, ଯୋଗ ଏବଂ ଧ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରିବା, ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଆବଶ୍ୟକ । ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କ ସହିତ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବା ଉଚିତ ଏବଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସରକାର ଏବଂ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ମଧ୍ୟ ଏହି ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ସହାୟତା ଯୋଗାଇବା ପାଇଁ ଅଧିକ କାର୍ଯ୍ୟ କରିବା ଆବଶ୍ୟକ । ଏକ ସୁସ୍ଥ ମାନସିକତା ହିଁ ଏକ ସୁସ୍ଥ ସମାଜ ଗଠନ କରିପାରିବ ।