କନକ ବ୍ୟୁରୋ : ଭାରତୀୟ ସଂସଦ ଦୁଇଭାଗରେ ବିଭକ୍ତ ହୋଇଛି । ଗୋଟିଏ ଲୋକସଭା ଓ ଅନ୍ୟଟି ରାଜ୍ୟସଭା । ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ଥିବା ବେଳେ ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୪୫ । ଅର୍ଥାତ ମୋଟ ୭୮୮ ସାଂସଦ ରହିଥାନ୍ତି । ସାଂସଦମାନଙ୍କୁ ଦରମା ଓ ଭତ୍ତା ପେନସନ୍ ଅଧିନିମୟ ୧୯୫୪ କ୍ରମରେ ମିଳିଥାଏ । ଏହାସହ ନିଜ ଅଞ୍ଚଳରେ ବିକାଶ କାମ କରିବା ପାଇଁ ସାଂସଦମାନଙ୍କ ସାଂସଦ ନିଧୀ ବା ଏମପି ଲାଡ୍ ମିଳିଥାଏ । ଏହା ଭତ୍ତା ଓ ଦରମା ଠାରୁ ଅଲଗା । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ କି ସାଂସଦମାନଙ୍କ ଓଭର ଟାଇମ୍ ଭତ୍ତା ମିଳିଥାଏ କି ? 

Advertisment

ଯେତେବେଳେ ଆପଣ ବେସରକାରୀ ସଂସ୍ଥାରେ କାମ କରନ୍ତି, ସେତେବେଳେ ଆପଣଙ୍କ ସହ ଚୁକ୍ତି ହୋଇଥିବା ନିର୍ଘଣ୍ଟ ସମୟ ପରେ ଯଦି ଆପଣଙ୍କୁ ଅଧିକ ସମୟ କାମ କରିବାକୁ କୁହାଯାଏ ତେବେ ଅଧିକାଂଶ ସ୍ଥଳରେ ଆପଣଙ୍କୁ ଓଭର ଟାଇମ ବାବଦରେ ଅର୍ଥ ପ୍ରଦାନ କରାଯାଇଥାଏ । ଏହି କ୍ରମରେ ଅନେକ ଥର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିଥାଏ । ଏହି ଅଧିବେଶନରେ ସାଂସଦମାନଙ୍କ ଆବଶ୍ୟକତା ପଡିଥାଏ । ଏନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ କି ଏହି ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଉଥିବା ସାଂସଦମାନଙ୍କ ଓଭର ଟାଇମ୍ ଭତ୍ତା ମିଳିଥାଏ କି ? ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଥାଏ ତେବେ ତାହାର ଉତ୍ତର ହେଉଛି ସାଂସଦଙ୍କୁ ଓଭର ଟାଇମ୍ ଭତ୍ତା ମିଳିନଥାଏ । 

ସୂଚନା ଥାଉକି ୨୦୨୪ ମସିହାରେ ସାଂସଦଙ୍କ ଭତ୍ତା ବଢି ମାସିକ ୧ ଲକ୍ଷ ଟଙ୍କାରୁ ୧ ଲକ୍ଷ ୨୪ ହଜାର ହୋଇଛି । ଏହାସହ ସଂସଦୀୟ କାର୍ଯ୍ୟଦିବସ ବାବଦରେ ସାଂସଦଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯାଇଥାଏ । ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ନିୟମ ଲାଗୁ ହୋଇଥାଏ । କିନ୍ତୁ କୌଣସି ଓଭର ଟାଇମ୍ ଭତ୍ତା ମିଳିନଥାଏ ।