କନକ ବ୍ୟୁରୋ: ହରିୟାଣାର ଫରିଦାବାଦରେ ଆତଙ୍କୀଙ୍କ ବଡ଼ ଯୋଜନାକୁ ଭଣ୍ଡୁର କରିବାରେ ସଫଳ ହେଇଛି ପୁଲିସ । ପୁଲିସ ଏହି ଘଟଣାରେ ୨ଟି ଏକେ-୪୭ ସହ ୩୫୦ କେଜି ବିସ୍ଫୋରକ ଜବତ କରିଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣାରେ ଜଣେ ମୁସଲିମ୍ ଡାକ୍ତରଙ୍କୁ ଗିରଫ କରିଛି ଜମ୍ମୁକାଶ୍ମୀର ପୁଲିସ । ଯାହାକୁ ନେଇ ଏବେ ବିଜେପି ସାଂସଦ ଗିରିରାଜ ସିଂହ ଦେଇଛନ୍ତି ବଡ଼ ବୟାନ ।

Advertisment

ଧରାପଡୁଥିବା ଏହି ସବୁ ଆତଙ୍କବାଦୀ ସବୁବେଳେ କାହିଁକି ମୁସଲିମ୍ ଧର୍ମର? କାହିଁକି ରାହୁଲ ଗାନ୍ଧୀ, ଲାଲୁ ଯାଦବ ଆଉ ଅଖିଳେଶ ଯାଦବଙ୍କ ଭଳି ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗିରିରାଜ ସିଂହ । ଖାଲି ସେତିକି ନୁହେଁ ଆତଙ୍କବାଦୀଙ୍କୁ ଗୋଟିଏ ଧର୍ମ ସହ ଯୋଡ଼ି ଏହି ବିଜେପି ନେତା ବୟାନ ଦେବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି ।

ଗିରିରାଜ ଆତଙ୍କବାଦୀଙ୍କୁ ମୁସଲିମ୍ ଧର୍ମ ସହ ଯୋଡ଼ିବା ପରେ ପିଡିପି ମୁଖ୍ୟ ମେହବୁବା ମୁଫତି ଏହି ଘଟଣାରେ ବିଜେପି ସାଂସଦଙ୍କୁ ଘେରିଛନ୍ତି । ଗାନ୍ଧିଜୀଙ୍କୁ କିଏ ମାରିଲା? ଇନ୍ଦିରା ଗାନ୍ଧୀଙ୍କୁ କିଏ ମାରିଲା? ଆଉ ରାଜୀବ ଗାନ୍ଧୀଙ୍କୁ କିଏ ମାରିଲା ବୋଲି ପ୍ରଶ୍ନ କରିଛନ୍ତି ମେହବୁବା ମୁଫତି । ଏସବୁ ପ୍ରଶ୍ନର ଉତ୍ତର ଗିରିରାଜ ରଖିବା ଉଚିତ୍ ବୋଲି ଉତ୍ତର ରଖିଛନ୍ତି ମେହବୁବା ମୁଫତି । 

ସୋମବାର ଫରିଦାବାଦରୁ ୩୦୦ କିଲୋ ଆମୋନିୟମ ନାଇଟ୍ରେଟ୍ ଜବତ କରିଛି ପୁଲିସ । ଏହି ଘଟଣାରେ ଜଣେ ମୁସଲିମ୍ ଡାକ୍ତରଙ୍କୁ ଗିରଫ କରିଛି ପୁଲିସ । ତେବେ ଏହି ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହେବା ସହିତ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ନେତା ।