କନକ ବ୍ୟୁରୋ: ଶ୍ରୀମନ୍ଦିର ମେଘନାଦ ପାଚେରିର ସୁରକ୍ଷା ନେଇ ଚିନ୍ତା । ଉତ୍ତର ପାର୍ଶ୍ଵ ମେଘନାଦ ପାଚେରି ଓ ଗୁମୁଟରୁ ପାଣି ଝରୁଛି । ଏସବୁ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସିଆଇ । ପୂର୍ବପାର୍ଶ୍ଵ କୁରୁମ ବେଢ଼ାକୁ ଲାଗି ଆନନ୍ଦ ବଜାର ଓ କୋଇଲି ବୈକୁଣ୍ଠ ପାର୍ଶ୍ଵରେ ଇଟା ତିଆରି କୋଠା ନରଖିବାକୁ ଏଏସଆଇ କହିଛି । ତେବେ ଐତିହ୍ୟ ସଂରଞ୍ଚନାରେ ଆଞ୍ଚ ନଆଣି ମରାମତି ଓ ସଂରକ୍ଷଣ କରିବାକୁ ବରିଷ୍ଠ ସେବାୟତ କହିଛନ୍ତି ।
- ମେଘନାଦ ପାଚେରି ଅସୁରକ୍ଷିତ
- ସଂରକ୍ଷଣ ନେଇ ଏଏସଆଇର ଚିଠି
ଶ୍ରୀମନ୍ଦିର ଉତ୍ତରପାର୍ଶ୍ଵ ମେଘନାଦ ପାଚେରିରୁ ପାଣି ଝରୁଛି । ଅବରୋଧ ହଟାଗଲେ ୱାଟର ପ୍ରୁଫ୍ ଟ୍ରିଟମେଣ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ । ଭିତରବେଢ଼ା ଓ ପାଟ ଅଗଣାରେ ପ୍ରାୟତଃ ପାଣି ସିଞ୍ଚନ ଯୋଗୁ ଚଟାଣ ନଷ୍ଟ ହେଉଛି । ଆବର୍ଜନା ପରିଚାଳନା ପ୍ଲାଣ୍ଟ ପର୍ଯ୍ୟନ୍ତ ଜମା ହେଉଛି ଅବ୍ୟବହୃତ ଜିନିଷ । ଆବର୍ଜନା ପରିଚାଳନା ମେସିନ ଓ ଭୋଗେଇ ଘର ମେଘନାଦ ପାଚେରି ଉପରେ ବୋଝ ସୃଷ୍ଟି କରିଛି । ମରାମତି ଓ ସଂରକ୍ଷଣ ପାଇଁ ଏସବୁ ହଟାଇବାକୁ କହିଛି ଏଏସଆଇ। ମୂଳ ସଂରଞ୍ଚନା ସୁରକ୍ଷିତ ରଖି ମରାମତି ପାଇଁ ସେବାୟତ କହିଛନ୍ତି ।
ଶ୍ରୀମନ୍ଦିରରେ ଆଧୁନିକ ନିର୍ମାଣ ସମେତ ଆନନ୍ଦ ବଜାର ଓ କୋଇଲି ବୈକୁଣ୍ଠ ପାର୍ଶ୍ଵରେ ଥିବା ଇଟା ତିଆରି କୋଠା ନକରିବାକୁ କହିଛି ଏଏସଆଇ। ଏଥିସହ ପଶ୍ଚିମ ପାର୍ଶ୍ଵ କୁରୁମବେଢାକୁ ଲାଗି ବିପଦସଙ୍କୁଳ ଫୁଲ ଘରକୁ ଭାଙ୍ଗିବା ପାଇଁ ଏଏସଆଇ କହିଛି। ପୂର୍ବପାର୍ଶ୍ଵ କୁରୁମବେଢ଼ାକୁ ଲାଗି ଥିବାରୁ ପୋଲିସ ଆଉଟ୍ ପୋଷ୍ଟ, ସରଘର ଓ ଖଜା ପ୍ରସ୍ତୁତି ଘର ଯୋଗୁ ସଂରକ୍ଷଣ କାମ ତ୍ୱରାନ୍ୱିତ ହୋଇପାରୁନି । ଶ୍ରୀମନ୍ଦିରରେ ନୂଆ ସିସିଟିଭି ଲଗାଯିବା ପରେ ପୁରୁଣା ସିସିଟିଭି ହଟିନି । ବିଭିନ୍ନ ସ୍ଥାନରେ ଜିଆଇ ବାକ୍ସ, କେବୁଲ, ହ୍ୟାଙ୍ଗିଙ୍ଗ୍ କ୍ୟାମେରା, କଳଙ୍କି ଲଗା ଜିଆଇ ପାଇପ୍, କ୍ଲାମ୍ପ ଆଦି ଝୁଲି ରହି ଐତିହ୍ୟର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଏସବୁ ହଟିଲେ ଏଏସଆଇ ମରାମତି ଓ ୱାଟର ପ୍ରୁଫ ଟ୍ରିଟମେଣ୍ଟ କରିବ ।
ବାଇଶି ପାହାଚ, ଉତ୍ତର ଦ୍ଵାର ଭିତର ପାହାଚ ଓ ଗୁମୁଟ ଚଟାଣରେ ଅନବରତ ପାଣି ସିଞ୍ଚନ ଯୋଗୁ ପଥର ସଂଯୋଗସ୍ଥଳ ମେଲା ହୋଇ ନଷ୍ଟ ହେଉଛି। ମେଟାଲ୍ ଗନ ନୋଜଲ ଦ୍ୱାରା ଜୋରରେ ପାଣି ମାରିବା ବଦଳରେ ବିକଳ୍ପ ପନ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି ଏଏସଆଇ ।