କନକ ବ୍ୟୁରୋ : ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ସରକାର ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ଖୋର୍ଦ୍ଧା ଜିଲାର ବେଗୁନିଆ ବୋଲଗଡ଼କୁ ପ୍ରଥମ କରି ଜଳଯୋଗାଣର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଏହି ଲକ୍ଷ୍ୟ ପୂରଣ ହୋଇନଥିବାରୁ ଆକ୍ସନରେ ସରକାର । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ।

Advertisment

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ଆରମ୍ଭ କରିଥିଲେ ସରକାର । ପ୍ରକଳ୍ପ ସାରିବା ସମୟ ସୀମା ବି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସମୟ ସରିଯାଇଥିଲେ ବି ଅଧିକାଂଶ ସ୍ଥାନରେ ଅଧା ପନ୍ତରିଆ ହୋଇ ପଡିଛି ପ୍ରକଳ୍ପ । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଶ୍ରୀରାମପୁରରେ ନିମାଣ ହୋଇଥିବା ଏହି ମେଗା ୱାଟର ପ୍ଲାଣ୍ଟରେ ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରକଳ୍ପର ନିର୍ମାଣ ଚାଲିଛି । ଏହା ଭିତରେ ୬ବର୍ଷ ପୂରି ଯାଇଥିଲେ ବି ଲୋକଙ୍କ ପାଖରେ ପହଁଚି ପାରିନି ପିଇବା ପାଣି ।

ଲକ୍ଷ୍ୟ ପୂରଣ ନହେବାରୁ ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ମେଗା ପାଇପ୍ ଜଳଯୋଗାଣରେ ବିଳମ୍ବ ପାଇଁ ଜବାବ ତଲବ କରିଛନ୍ତି । ବେଗୁନିଆ ସହକାରୀ ଯନ୍ତ୍ରୀଙ୍କୁ ଉତ୍ତର ମାଗିଛି ଜଳଯୋଗାଣ ବିଭାଗ । କାହିଁକି କାମ ଧିମେଇଛି ? ସେନେଇ ଉତ୍ତର ଦେବାକୁ କଡ଼ା ଚିଠି କରିଛନ୍ତି ବିଭାଗୀୟ ଅଧିକାରୀ । କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନୁହେଁ । ଏହାର ସନ୍ତୋଷଜନକ ଉତ୍ତର ଗୋଟିଏ ସପ୍ତାହ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଢ଼େଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ କରାଯାଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ହେବ ।

ଏବେ ପ୍ରଶ୍ନ ଉଠୁଛି, ବିଳମ୍ବ ପାଇଁ ଠିକା ସଂସ୍ଥା ଓ ଉଚ୍ଚ ଅଧିକାରୀ ଦାୟୀ ନୁହନ୍ତି କି ? ଉଚ୍ଚ ଅଧିକାରୀ ଅବଧିର ସମୟ ସୀମା ବଢ଼ାଇବା ସହ ଅର୍ଥ ମଞ୍ଜୁର କରୁଥିବାବେଳେ ସେମାନେ ଅଜଣା କେମିତି ? ସେମାନଙ୍କୁ କେବେ ନୋଟିସ୍ କରିବ ବିଭାଗ ?