water problem Photograph: (kanak news)
କନକ ବ୍ୟୁରୋ : ହର ଘର ନଳ ଜଳ ଯୋଜନାରେ ପ୍ରତ୍ୟେକ ଘରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଇବାକୁ ଖର୍ଚ୍ଚ ହେଲା କୋଟି କୋଟି । ହେଲେ ଏହା ଲୋକଙ୍କ କାମରେ ଆସୁନି । ୨ଟି ନଳକୂପ ପାଣିର ଆବଶ୍ୟକତା ମେଣ୍ଟାଇପାରୁନି । ଫଳରେ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରୁଛନ୍ତି ଲୋକେ । କାଲିମେଳା ବ୍ଲକ ସଦର ମହକୁମା ଠାରୁ ମାତ୍ର ୧ କିମି ଦୂରରେ ରହିଛି ଆଦିବାସୀ ବହୁଳ ଆମ୍ବାଗୁଡ଼ା ଗାଁ । ଶହେରୁ ଅଧିକ ପରିବାର ବସବାସ ଏଠି ଜଳ ଯନ୍ତ୍ରଣାରେ ଛଟପଟ ହେଉଛି। ଗାଁରେ ଥିବା ୫ଟି ନଳକୂପରୁ ୩ଟିରେ ଗୋଳିଆ ପାଣି ବାହାରୁଛି, ବାକି ୨ଟିରୁ ଯେତିକି ପାଣି ବାହାରୁଛି ତାକୁ ନେବାକୁ ବାଡ଼ିଆପିଟା ।
ଅନେକ ବର୍ଷ ତଳେ ବସୁଧା ଯୋଜନାରେ ଗୋଟିଏ ପମ୍ପ ହାଉସ ନିର୍ମାଣ କରାଯାଇଥିଲା। ଯାହାର କାମ ଆଜିଯାଏଁ ସରିପାରିଲା ନାହିଁ। ବର୍ଷେ ତଳେ ଗାଁକୁ ହର ଘର ନଳ ଯୋଜନାରେ ମାଳମାଳ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ପାଇଁ ସେ ବି ଭାଙ୍ଗିଗଲାଣି। ପାଣି ଟ୍ୟାପରୁ ନବାହାରି ନଷ୍ଟ ହେଉଛି। ଗାଁକୁ ସଂଯୋଗ କରୁଥିବା ପାଇପ ଫାଟି ଜଳର ଫୁଆରା ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି। ନିରୂପାୟ ହେଇେ ଚୁଆ ପାଣି ବ୍ୟବହାର କରୁଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ---ତୁଟୁନି ମଣ୍ଡି ଝାମେଲା ; ନିରବରେ ଯୋଗାଣ ବିଭାଗ !
ହର ଘର ନଳ ଯୋଜନାରେ, ୮ ବର୍ଷ ତଳେ ଭେଙ୍କଟପଲମ୍ ନଦୀକୂଳରେ ନିର୍ମାଣ କରାଯାଇଥିଲା ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ । ଖର୍ଚ୍ଚ ହେଲା ୩୭ କୋଟି ଟଙ୍କା। କାଲିମେଳାର ୫ଟି ପଞ୍ଚାୟତର ୨୬ ହଜାର ୭୬୯ ଘରକୁ ନଳ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ବିଭାଗୀୟ ଅଧିକାରୀ ଓ ବିଧାୟକ ପ୍ରକଳ୍ପର ଉଦଘାଟନ କରିଦେଲେ। କିନ୍ତୁ ଏବେ ବି ଅନେକ ଗାଁ ପ୍ରକଳ୍ପର ଲାଭ ପାଇପାରୁନାହାନ୍ତି। ଯାହାର ଉଦାହରଣ ଆମ୍ବାଗୁଡ଼ା ଗାଁ । ଲୋକ ଯଦି ପିଇବା ପାଇଁ ଚୁଆ ପାଣି ବ୍ୟବହାର କରୁଛନ୍ତି, ତାହେଲେ କାହା ସ୍ବାର୍ଥରେ ୩୭ କୋଟି ଟଙ୍କାର ପ୍ରକଳ୍ପ? ଉଦଘାଟନ କରି ହାତଝାଡ଼ି ବସୁଥିବା ପ୍ରାଶାସନିକ ବାବୁ ପ୍ରକଳ୍ପର କାର୍ଯ୍ୟକ୍ଷମ କରିବା ଦିଗରେ ଧ୍ୟାନ ଦେବା ପାଇଁ ଦାବି ହୋଇଛି ।
Follow Us