କନକ ବ୍ୟୁରୋ :  ନବୀନ ସରକାର ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ହୋଇଛି ବଡ଼ ଧରଣର ସ୍କାମ। ନବୀନ ସରକାରରେ ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ୨ ଶହ ଅଣ-ଓଡିଆ ଠିକାଦାରଙ୍କୁ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ କାର୍ୟ୍ୟ ଦିଆଯାଇଛି। ଆରଟିଆଇ ତଥ୍ୟରୁ ଏହି ସାଂଘାତିକ ସତ ଏବେ ସାମ୍ନାକୁ ଆସିଛି । ଏବେ ଏକ ଟାସ୍କଫୋର୍ସ ଗଠନ କରି ଅଣ ଓଡ଼ିଆ ଠିକାଦାର ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ନବୀନ ସରକାରରେ ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରାଯାଇଛି । ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ବଡ଼ ବଡ଼ ଠିକା କାମ ବାହାର ରାଜ୍ୟର ଠିକାଦାରଙ୍କ ହାତକୁ ଟେକି ଦିଆଯାଇଛି । ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ବଡ଼ ବଡ଼ ପ୍ରକଳ୍ପ ରାସ୍ତା, ବ୍ରିଜ, ସରକାରୀ କାର୍ୟ୍ୟାଳୟ, ଭିତିଭୂମି ନିର୍ମାଣ, ପରିକ୍ରମା ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ ଭଳି ଅନେକ କାମ ଦିଆଯାଇଛି। କେବଳ କରୋନା ସମୟରେ ୨୦୧୯ରୁ ୨୧ ମସିହା ମଧ୍ୟରେ ୧୭ଟି ଅଣ ଓଡ଼ିଆ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କାମ ମିଳିଛି । ସବୁଠୁ ଅଧିକ ପ୍ରକଳ୍ପ ହାତେଇଛି ତାମିଲନାଡୁର ଏଲ-ଆଣ୍ଡ-ଟି ପ୍ରାଇଭେଟ ଲିମିଟେଡ। ୱାଟକୋ, ଓଟିପିସିଏଲ, ଆରଡବ୍ଲୁଏସଏସ, ପୂର୍ତ୍ତ ବିଭାଗରୁ ହଜାର ହଜାର କୋଟି ଟଙ୍କା ପ୍ରକଳ୍ପ ଦିଆଯାଇଛି । ଏଲ-ଆଣ୍ଡ-ଟି କଂପାନୀକୁ ହାରାହାରି ୧୦ ହଜାର କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟ ପ୍ରକଳ୍ପ କାର୍ୟ୍ୟ ପାଇଁ ୧୦ ହଜାର କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ କମ୍ପାନୀକୁ ଏତେ ସଂଖ୍ୟକ ପ୍ରକଳ୍ପ ଦେବା ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ହାଇଦ୍ରାବାଦର ୪ଟି କଂପାନୀକୁ ମଧ୍ୟ ବହୁ ପ୍ରକଳ୍ପ କାମ ମିଳିଛି । ତେବେ ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଥିବା ଓସା ଅଭିଯୋଗ କରିଛି । ଉଦବେଗର କଥା ହେଉଛି, ପୂର୍ବ ସରକାର ସମୟରେ ଟଙ୍କା ନେଇ, ସରକାର ପରିବର୍ତ୍ତନ ପରେ କାମ ଅଧାରେ ପକାଇ ଅଣଓଡ଼ିଆ ଠିକାଦାର ଫେରାର ହୋଇଯାଇଛନ୍ତି । ତେଣୁ ଏକ ଟାସ୍କଫୋର୍ସ ଗଠନ କରାଯାଇ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବା ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ଓସା କର୍ମକର୍ତ୍ତା। 

Advertisment