କନକ ବ୍ୟୁରୋ: ପୂର୍ବ ସରକାର ମେଗା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ବ୍ୟୟ କଲେ। କିନ୍ତୁ ଏବେ ତାହା ବିକଳାଙ୍ଗ ଅବସ୍ଥାରେ। କୋରାପୁଟ ବୋରିଗୁମ୍ମା ବ୍ଲକରେ ୨୦୨୧ରେ ବହୁମୁଖି କୃଷି ଉଦ୍ୟୋଗ ଯୋଜନାରେ ହରଦଳି ପଞ୍ଚାୟତରେ ୧୨ ଏକର ଜାଗାରେ ୧୨ରୁ ଅଧିକ ପ୍ରକଳ୍ପ ଛିଡା ହେଲା।  କିନ୍ତୁ ଉଦଘାଟନର ୩ ବର୍ଷ ପରେ ମଧ୍ୟ ଗୋଟିଏ ପ୍ରକଳ୍ପର ତାଲା ଫିଟିନି। କୋଟି କୋଟି ଟଙ୍କା ଖର୍ଚ୍ଚରେ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିଥିଲେ ମଧ୍ୟ ଏବେ ତାହା ଖତ ଖାଉଛି।

Advertisment

କାହାର ଛାତ ଉଡିଗଲାଣି ତ ପୁଣି କେଉଁଠି ଚୋରି ପରେ ଯାହା ଅଳ୍ପ ବହୁତ ଜିନିଷ ପଡି ରହିଛି। ବୋରିଗୁମ୍ମା ଜାତୀୟ ରାଜପଥ କଡରେ ଥିବା ଫୁଡ୍ ପାର୍କ ମଧ୍ୟ ସମଦଶା ଭୋଗୁଛି। ଆବଶ୍ୟକ ସ୍ଥାନରେ ଏହି ପ୍ରକଳ୍ପ ହୋଇନଥିବାରୁ ଏଭଳି ଅବସ୍ଥା ଦେଖିବାକୁ ପଡୁଛି ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ କହିଛନ୍ତି, ଠିକାଦାର, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ କରିବାକୁ ହୋଇଥିଲା ଏହି ମେଗା ପ୍ରକଳ୍ପ।

ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ହୋଇଥିଲେ ବି ଏହାର ସୁଫଳ ଶୂନ। ଏହି ମେଗା ପ୍ରକଳ୍ପ ଜରିଆରେ ରୋଜଗାରର ସମ୍ଭାବନା ଥିଲେ ମଧ୍ୟ ଭୂତକୋଠି ହୋଇ ପଡି ରହିଛି। ରାଜନୈତିକ ଉଦାସୀନତା ଓ ପ୍ରଶାସନିକ ନିଷ୍କ୍ରିୟତା ଏହି ମେଗା ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥିଲା। ତେବେ କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ।

ମନେରଗା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଏହି ପ୍ରକଳ୍ପ ଛିଡା ହୋଇଥିଲା। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ମେଗା ପ୍ରକଳ୍ପର ଭବିଷ୍ୟତ ପାଇଁ କଣ ରୋଡମ୍ୟାପ କରିଥିଲେ ପୂର୍ବ ସରକାର? କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କାହିଁକି ବନ୍ଦ ପଡିଥିଲା ପ୍ରକଳ୍ପ? ପ୍ରକଳ୍ପ ନାଁରେ ଟଙ୍କା ଚଳୁ କରିବାକୁ ମସୁଧା ନଥିଲା ତ?