କନକ ବ୍ୟୁରୋ : ଟ୍ୟାପ୍‌ ଖୋଲିଲେ ବାହାରୁଛି ଗୋଳିଆ ପାଣି । ସମସ୍ୟା ଭୋଗୁଛନ୍ତି ୨୦ଟି ୱାର୍ଡର ୮ ହଜାରରୁ ଅଧିକ ପରିବାର । ଏ ଚିତ୍ର ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର । ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ୭୮ କୋଟି ଟଙ୍କା । କିନ୍ତୁ ଦୁର୍ନୀତି ପାଇଁ ଫେଲ୍‌ ମାରିଛି ପ୍ରକଳ୍ପ । ବିନା ଟେଣ୍ଡରରେ ଠିକାଦାରଙ୍କୁ ମିଳିଛି କାମ  । ଆଉ ନିମ୍ନ ମାନର କାମ କରି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ଶଙ୍ଖ ନଦୀର ପାଣି  ବିଶୋଧନ କରି ଲୋକଙ୍କୁ ଯୋଗାଇବାକୁ ହୋଇଛି ବ୍ୟବସ୍ଥା । ଏଥିପାଇଁ ମାଟି ତଳେ ୨୮ କିଲୋମିଟର ପାଇପ ବିଛା ଯାଇଛି । କିନ୍ତୁ ନିମ୍ନ ମାନର କାମ ପାଇଁ ଅନେକ ସ୍ଥାନରେ ପାଇପ ଫାଟି ପାଣି ବୋହିଯାଉଛି । ରାସ୍ତାରେ ମଧ୍ୟ ଫାଟ ସୃଷ୍ଟି ହେଉଛି । ତେବେ ବିଭାଗରେ ଥିବା ଅଧିକାରୀମାନେ ବିନା ଟେଣ୍ଡରରେ ଠିକାଦାରଙ୍କୁ କାମ ଦେଇ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି । ବିଶୋଧନାଗାର ନିର୍ମାଣ ପାଇଁ ଆସିଥିବା ୪୫ଲକ୍ଷ ଟଙ୍କାରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 

ପାନୀୟ ଜଳ ପ୍ରକଳ୍ପରେ ହୋଇଛି ମହା ଦୁର୍ନୀତି । ପ୍ରଶ୍ନ ଉଠୁଛି, ଦୁର୍ନୀତି ପଛରେ ମୁଖ୍ୟ କାର୍ପଟଦାର କିଏ ? ଠିକାଦାରଙ୍କୁ କିଏ ଓ କାହିଁକି ଦେଇଛି ଅନୁକମ୍ପା ? ଘଟଣାରେ କାର୍ୟ୍ୟାନୁଷ୍ଠାନ ହେବ ନା ନାଲି ଫିତା ତଳେ ଚାପି ଦିଆଯିବ ?