କନକ ବ୍ୟୁରୋ : ମାତ୍ର ୧୪ ବର୍ଷ ବୟସରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ଉଦୀୟମାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଏବେ ତାଙ୍କୁ ତାଙ୍କ ଟିମ୍ରେ ମିଳିଛି ଆଉ ଏକ ନୂଆ ଦାୟିତ୍ୱ । ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ରଣଜୀ ସିଜିନ୍ ପାଇଁ ବିହାର ଟିମ୍ରେ ତାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଏଭଳି ଦାୟିତ୍ୱ ପାଇଥିବା ସବୁଠାରୁ କନିଷ୍ଠ କ୍ରିକେଟର ପାଲଟି ଯାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହାପୂର୍ବରୁ କୌଣସି ଭାରତୀୟ କ୍ରିକେଟର ଏତେ କମ୍ ବୟସରେ କୌଣସି ରଣଜୀ ଦଳର ଉପଅଧିନାୟକ ଦାୟିତ୍ୱ ପାଇନଥିଲେ ।
ବୈଭବ ସୂର୍ଯ୍ୟବଂଶୀ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି ୨୦୨୫-୨୬ ସିଜନର ପ୍ରଥମ ଦୁଇଟି ରାଉଣ୍ଡ ପାଇଁ ବିହାରର ଉପ-ଅଧିନାୟକ ମନୋନୀତ କରାଯାଇଛି । ଦଳର ଅଧିନାୟକ ରହିବେ ସାକିବୁଲ ଗନି । ୧୩ ବର୍ଷ ବୟସରେ ଭାରତର ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିବା ପରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ରେ ସାମିଲ ହୋଇଥିଲେ । ଏହି ଯୁବ ବ୍ୟାଟର୍ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଶତକ ବି ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ୫ଟି ୟୁଥ୍ ଦିନିକିଆ ମ୍ୟାଚରେ ସେ ୭୧.୦୦ ହାର ଏବଂ ୧୭୪.୦୨ ଷ୍ଟ୍ରାଇକ୍ ରେଟରେ ୩୫୫ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ IPL ୨୦୨୫ରେ ତାଙ୍କର ୩୫ଟି ବଲ୍ରେ ଅପରାଜିତ ଶତକକୁ ଏଯାଏଁ ମନେ ରଖିଛନ୍ତି ଫ୍ୟାନ୍ସ ।
ବୈଭବ T20 ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟର ମଧ୍ୟ । ୧୪ ବର୍ଷ ବୟସରେ, ସୂର୍ଯ୍ୟବଂଶୀ ଗୁଜୁରାଟ ଟାଇଟାନ୍ସ (GT) ବିପକ୍ଷରେ ୩୫ ବଲରେ ଶତକ ହାସଲ କରିଥିଲେ । ଗତ ଆଇପିଏଲ ସିଜିନ୍ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ବି ଧୂଆଁଦାର ପାଳି ଖେଳିଥିଲେ ବୈଭବ ସୂର୍ଯ୍ୟବଂଶୀ । ୧୪ ବର୍ଷ ବୟସରେ T20 ଶତକ ହାସଲ କରିବାର ବିଶ୍ୱ ରେକର୍ଡ ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ରହିଛି । ଏହା IPLର ଦ୍ୱିତୀୟ ଦ୍ରୁତତମ ଶତକ ମଧ୍ୟ ଥିଲା ।
ଶେଷ ଥର ପାଇଁ ଖେଳିଥିବା ୟୁଥ୍ ଟେଷ୍ଟରେ ବୈଭବ ପ୍ରଥମ ଇନିଂସରେ ୨୦ ଓ ଦ୍ୱିତୀୟ ଇନିଂସରେ ଖାତା ବି ଖୋଲି ପାରିନଥିଲେ । ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ୧୧୩ ରନର ଏକ ଇନିଂସ ଖେଳିଥିଲେ । ବର୍ତ୍ତମାନ ସେ ରଣଜୀ ଟ୍ରଫି ୨୦୨୫-୨୬ରେ ବିହାର ପାଇଁ ଭଲ ପ୍ରଦର୍ଶନ କରିବା ସହ ଟିମ୍ ଇଣ୍ଡିଆରେ ସାମିଲ ହେବାକୁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ । ତେବେ ସୂର୍ଯ୍ୟବଂଶୀ ସମ୍ପୂର୍ଣ୍ଣ ରଣଜୀ ସିଜନରେ ବିହାର ପାଇଁ ଖେଳୁଥିବା ନଜର ନଆସିପାରନ୍ତି । କାରଣ ଆସନ୍ତା ବର୍ଷ ଜିମ୍ବାୱେ ଏବଂ ନାମିବ୍ୟାରେ ଖେଳାଯିବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ ୨୦୨୬ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବେ ।