କନକ ବ୍ୟୁରୋ: ବାହାରକୁ ବାହାର, ନିଜ ଲକ୍ଷ୍ୟ ହାସଲ କର; ଏହା ହେଉଛି ପରିବେଶ ସୁରକ୍ଷାର ଜଣେ ଅନନ୍ୟା ଯୋଦ୍ଧା କଳାବତୀ ଦେବୀଙ୍କ ନାରା । ଜୀବନର କିଛି ଅଘଟଣ ତାଙ୍କୁ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ କଲା । ପରିସ୍ଥିତି ତାଙ୍କ ହାତରେ କରଣି , ଆରି ଧରାଇଦେଲା । ଆଜି ସେ ଦେଶର ମହିଳା ମିସ୍ତ୍ରୀ ଭାବେ ଜଣା । ତାଠୁ ତାଙ୍କ ବଡ଼ ପରିଚୟ ହେଉଛି ପରିବେଶ ଯୋଦ୍ଧା । ପରିବେଶକୁ ସ୍ବଚ୍ଛ ରଖିବାକୁ ଗରିବଙ୍କ ପାଇଁ ନିଜେ ନିଜେ ତିଆରି କରିଛନ୍ତି ୪୦୦୦ରୁ ଅଧିକ ଶୌଚାଳୟ । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ନାରୀ ଶକ୍ତି ଆୱାର୍ଡ ।
କଳାବତୀଙ୍କ କାହାଣୀ ଓ କାର୍ଯ୍ୟ ପ୍ରତିଟି ମଣିଷ ପାଇଁ ପ୍ରେରଣାର ସ୍ବର୍ଣ୍ଣିମ ଫର୍ଦ୍ଦ । ଉତ୍ତରପ୍ରଦେଶ କାନପୁରର ଏକ ନିପଟ ଗାଁରେ ରହୁଥିବା କଳାବତୀ ଆଜି ସାରା ଦେଶରେ ଜଣେ ଚର୍ଚ୍ଚାର ପାତ୍ର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ବିଟର ହ୍ୟାଣ୍ଡେଲ ଜରିଆରେ ନିଜର ପରିଚୟ ଦେଇ କଳାବତୀ ଲେଖିଥିଲେ ,’ମୁଁ ଯେଉଁ ଜାଗାରେ ରହୁଥିଲି ତାହା ନର୍କ ପରି ଥିଲା । କିନ୍ତୁ ମୋର ଦୃଢ଼ ବିଶ୍ବାସ ଥିଲା , ସ୍ବଚ୍ଛତା ମାଧ୍ୟମରେ ଏ ସ୍ଥିତିକୁ ବଦଳାଯାଇପାରିବ । ଏ ବାବଦରେ ଲୋକଙ୍କୁ ବୁଝାଇବା ସହ ଗାଁ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବାକୁ ପଇସା ଯୋଗାଡ଼ କରିବାକୁ ଆରମ୍ଭ କଲି । ଶେଷରେ ସଫଳ ହେଲି’ । ଅବଶ୍ୟ ଲୋକଙ୍କୁ ଜାଗ୍ରତ ହେବାକୁ ସମୟ ଲାଗିଲା । କିନ୍ତୁ ମୋର ବିଶ୍ବାସ ଥିଲା ଲୋକେ ବୁଝିଲେ ହିଁ କାମ ଆଗକୁ ବଢ଼ିବ । ଅନେକ ଚେଷ୍ଟା ପରେ ମୋର ଲକ୍ଷ୍ୟ ପୂରଣ ହେଲା। ଲୋକଙ୍କୁ ନେଇ ହାତେ ହାତେ ମୁଁ ହଜାର ହଜାର ଶୌଚାଳୟ ତିଆରି କଲି’ ।
ଏତକ କରିବାକୁ କଳାବତୀଙ୍କୁ କମ୍ କଷ୍ଟ କାରିବାକୁ ପଡ଼ିନି । କାରଣ ସ୍ବାମୀ ଓ ଜ୍ବାଇଁଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଉପରେ ଥିଲା ଝିଅ ସହ ଦୁଇ ଛୋଟ ଛୋଟ ଦାୟିତ୍ବ । ବାଧ୍ୟ ହୋଇ ଘରୁ ବାହାରି ମିସ୍ତ୍ରୀଙ୍କ ସହ ମିଶି ମଜୁରିଆ କାମ କରୁ କରୁ ରାଜମିସ୍ତ୍ରୀ କାମ ଶିଖିଲେ । ମିସ୍ତ୍ରୀ କାମ କରି ଯାହା ପଇସା ମିଳୁଥିଲା ସେଥିରେ ପରିବାର ଚଳାଇ , କିଛି କିଛି ଅର୍ଥ ସଞ୍ଚୟ କରୁଥିଲେ । ସେଥିରେ ଗୋଟିଏ ପରେ ଗୋଟିଏ ଟଏଲେଟ୍ ତିଆରି କଲେ ।ଲୋକଙ୍କୁ ସ୍ବଚ୍ଛତାର ଗୁରୁତ୍ବ କଥା ବୁଝାଇଲେ । କ୍ରମେ ଲୋକେ ତାଙ୍କ ସହ ସାମିଲ ହୋଇ ସ୍ବଚ୍ଛତା ଅଭିଯାନକୁ ଆଗକୁ ବଢ଼ାଇନେଲେ ।
କଳାବତୀଙ୍କ କାହାଣୀ ଜାଣିବା ପରେ ମନେପଡ଼େ ମିସାଇଲ ମ୍ୟାନ୍ ଏପିଜେ ଅବଦୁଏ କଲାମଙ୍କ କଥା । ଯିଏ କହିଥିଲେ, ସ୍ବପ୍ନ ଦେଖିବାକୁ ହେଲେ ନଶୋଇ ଜାଗ୍ରତ ରହିବାକୁ ପଡ଼ିବ । ଇଚ୍ଛା ଦୃଢ଼ ଓଅଟଳ ଥିଲେ , ଲକ୍ଷ୍ୟ ଦୂର ନୁହେଁ ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି କଳାବତୀ ଦେବୀ ।