କନକ ବ୍ୟୁରୋ: ଆସୁଛି ମକର ସଂକ୍ରାନ୍ତି । ପୁରା ଭାରତରେ ଜମିବ ଗୁଡ଼ି ଉଡ଼ାର ମାହୋଲ । ହେଲେ ଏଥର ଚାଇନା ମାଞ୍ଜାସୂତା ଉପରେ ପୋଲିସର କଡ଼ା ନଜର ରହିଛି । ଏମିତିକି ଯେଉଁମାନେ ଚାଇନା ମାଞ୍ଜା ଉଡ଼ାଇବେ ସେମାନଙ୍କ ଉପରେ କଡ଼ା ଆକ୍ସନ ନେବାକୁ ପୋଲିସ ନିର୍ଦ୍ଦେଶନାମା ଜାରି ରଖିଛି । କାରଣ ଚାଇନା ମାଞ୍ଜା ସୂତାରେ ଅନେକଙ୍କ ଜୀବନ ଯାଉଥିବା ନଜିର ରହିଛି । ତେଣୁ ଏମିତି ସ୍ଥିତିରେ ଆଗାମୀ ମକର ସଂକ୍ରାନ୍ତିରେ ଯେମିତି କାହାର ବି ଜୀବନ ନଯାଏ ତାହା ଉପରେ ଗୁରୁତ୍ବାରୋପ କରାଯାଉଛି ।
ଆକାଶରୁ ସ୍ଥଳ
ପୋଲିସ ରଖିଛି ନଜର
ମକର ସଂକ୍ରାନ୍ତି । ଗୁଡ଼ି ଉଡାଇବାର ପର୍ବ କାହିଁ କେତେ ଦିନରୁ ରହିଛି । କିନ୍ତୁ ପରମ୍ପରା ନାଁରେ ଚାଇନା ମାଞ୍ଜା ସୂତାରେ ଗୁଡି ଉଡାଉଥିବା କାରଣରୁ ଅନେକଙ୍କ ଜୀବନ ଯାଇଛି । ତେଣୁ ଏଥର ଦୁର୍ଘଟଣାକୁ ଏଡ଼ାଇବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖାସ କରି ମିରଟ ପୋଲିସ ଚାଇନା ମାଞ୍ଜା ସୂତାକୁ ସଂପୂର୍ଣ୍ଣ ବ୍ୟାନ କରିବା ସହିତ ଯିଏ ନିୟମ ଉଲଙ୍ଘନ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ସେଇଥି ଲାଗି ତ ଆଜିଠାରୁ ଚେକିଂକୁ ବି ଜୋରଦାର କରାଯାଇଛି । ପୋଲିସ କହିଛି, ଚାଇନା ସୂତା ଅତି ଭୟଙ୍କର । ବେକରେ ଥରେ ଲାଗିଲେ ସଙ୍ଗେ ସଙ୍ଗେ ବେକ କାଟିଦିଏ । ଖାଲି ବେକ କାଟିଦିଏ ତାହା ନୁହେଁ ବରଂ ମଣିଷକୁ ମୃତ୍ୟୁମୁଖକୁ ଠେଲି ଦିଏ । କେବଳ ମଣିଷ କାହିଁକି ବରଂ ଆକାଶରେ ଉଡୁଥିବା ନୀରିହ ପକ୍ଷୀର ବି ଜୀବନକୁ ବିପଦରେ ପକାଇଦିଏ ଏହି ମାଞ୍ଜାସୂତା । ତେଣୁ ଏଥର ଯେଉଁମାନେ ବଜାରରେ ଚାଇନା ମାଞ୍ଜା ସୂତା ବିକ୍ରି କରିବେ କିମ୍ୱା ଉଡ଼ାଇବେ ସେମାନଙ୍କ ଉପରେ ଆକ୍ସନ ହେବ ଏବଂ ଗିରଫ ବି କରାଯିବ ।
ଆକ୍ସନ ନେବା ପୂର୍ବରୁ ପୋଲିସ ପ୍ରଥମେ ଦୋକାନୀ ଓ ଗ୍ରାହକଙ୍କୁ ଭଲରେ ବୁଝାଇଥିଲା । ଆଉ କହିଥିଲା କି, ଚାଇନା ମାଞ୍ଜା ସୂତାକୁ ଆଦୌ ବ୍ୟବହାର ନକରିବା ଲାଗି । ବୁଝାଇବା ପରେ ବି ଯଦି କଥା ନମାନନ୍ତି ଦୋକୀନୀ ଓ ଗ୍ରାହକ ସଙ୍ଗେ ସଙ୍ଗେ ଆକ୍ସନ ନିଆଯିବ । କୌଣସି ପରିସ୍ଥିତିରେ ଚାଇନା ମାଞ୍ଜା ସୂତା ଏଥର ବ୍ୟବହାର କରିପାରିବେ ନାହିଁ କେହି ବୋଲି ପୋଲିସ ସ୍ପଷ୍ଟ କରିଛି । ଏହାସହ ପୋଲିସ କହିଛି କି, ଯେଉଁମାନେ ଗୁଡ଼ି ଚାଇନା ମାଞ୍ଜାସୂତାରେ ଉଡ଼ାଉଥିବା ନଜିର ଆସିବେ ସେମାନଙ୍କ ଗୁଡ଼ିକୁ ଜବତ କରାଯିବା ସହିତ ଘର ପହଞ୍ଚିବ ପୋଲିସ ଏବଂ ଆଟେମ୍ପ୍ଟ ଟୁ ମର୍ଡର ଚାର୍ଜ ଲାଗିବ ।
ପୋଲିସ କେବଳ ନିର୍ଦ୍ଦେଶନାମା ଦେଇ ଘରେ ବସିବି ବରଂ କଡ଼ା ନଜର ବି ରଖିଛି । ତେଣୁ ପୋଲିସକୁ ଚକମା ଦେଖାଇ କେହି ଚାଇନା ଗୁଡ଼ି ନଉଡାଇବାକୁ ଅପିଲ କରାଯାଇଛି । ଇଏ ତ ଗଲା ମିରଟର କଥା । ଓଡ଼ିଶାରେ ମଧ୍ୟ ଚାଇନା ମାଞ୍ଜାକୁ ଅନୁମତି ନାହିଁ । ବାଲେଶ୍ବରରୁ ବୌଦ୍ଧ, କଟକରୁ କଳାହାଣ୍ଡି…ମାଞ୍ଜା ସୂତାରେ କଟି ଅନେକ ଗୁରୁତର ଆହତ ହୋଇଛନ୍ତି । ତେଣୁ ଏହା ଉପରେ କଟକଣା ଲାଗୁକରାଯାଇଥିଲା । ଏବେ ସମୟ କହିବ କେଉଁମାନେ ନିୟମ ନମାନି ଗିରଫ ହେଉଛନ୍ତି ।