କନକ ବ୍ୟୁରୋ : ୧୦ଦଫା ଦାବିରେ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟ ସେବା । ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅହୋରାତ୍ର ଧାରଣା ଆରମ୍ଭ କରିବା ପରେ ସ୍ଥିତି ଆହୁରି ଶୋଚନୀୟ ହୋଇପଡିଛି। ଆଉଟସୋର୍ସିଂ, ଫାର୍ମାସିଷ୍ଟ, ଟ୍ରେନି ନର୍ସଙ୍କ ଭରସାରେ ମେଡିକାଲରେ ଚାଲିଛି ଚିକିତ୍ସା । ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏମକେସିଜିରେ ଜେନେରାଲ ଓଟି, କ୍ୟାପିଟାଲ ହସ୍ପିଟାଲରେ ଇଲେକ୍ଟିଭ ଓଟି ବନ୍ଦ ରହିଛି ।
ସରକାର ଦାବି ମାନୁ ନାହାନ୍ତି କି ନର୍ସିଂ କର୍ମଚାରୀ ବୁଝିବା ମୁଡରେ ନାହାନ୍ତି । ସରକାର ଓ ନର୍ସିଂ ସଂଘର ଜିଦି ରୋଗୀଙ୍କୁ ହଇରାଣରେ ପକାଇଛି । ସେବିକା ଅଭାବରୁ କଟକ ବଡ଼ ମେଡିକାଲର ଜେନେରାଲ ଓଟି ବନ୍ଦ ହୋଇପଡ଼ିଛି । ଜରୁରୀ ନଥିଲେ ଅପରେସନ୍ ବନ୍ଦ କରି ତାରିଖ ଗଡ଼ାଇ ଦିଆଯାଉଛି । ଗୁରୁତର ରୋଗୀଙ୍କୁ ଆଉଟ୍ ଡୋରରୁ ସିଧାସଳଖ ଟ୍ରମା କାଜୁଆଲିଟିକୁ ପଠାଇ ଦିଆଯାଉଛି । ଜୁନିୟର ଡାକ୍ତର ଇଞ୍ଜେକସନ୍ ଦେବା ଏବଂ ସାଲାଇନ୍ ଲଗାଇବା କାମ କରୁଛନ୍ତି । ସ୍ୱାସ୍ଥ୍ୟ ସେବାର ସ୍ଥିତି ଏତେ ଜଟିଳ ଯେ ପ୍ରଫେସର୍ମାନେ କୁଆଡ଼େ ଯାଇପାରୁନାହାନ୍ତି । ସମସ୍ତଙ୍କ ଛୁଟି ବାତିଲ ହୋଇଥିବାରୁ ମେଡିକାଲ୍ରେ ରହି ରୋଗୀ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି ।
ସମାନ ଅବସ୍ଥା ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ । ଶହ ଶହ ରୋଗୀ ନିର୍ଭର କରୁଥିବା ହସ୍ପିଟାଲରେ ଆଡ଼ମିଶନ ବନ୍ଦ ରହିଛି । ଜରୁରୀକାଳୀନ ଓଟି ଛଡ଼ା ଅନ୍ୟ ସେବା ବନ୍ଦ ବୋଲି ନିର୍ଦ୍ଦେଶ ଦିଆଯାଇଛି । ୱାର୍ଡରୁ ରୋଗୀ ସଂଖ୍ୟା କମାଇବା ପାଇଁ ରୋଗୀଙ୍କୁ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମରଜେନ୍ସି ଓଟିକୁ ବାଦ୍ ଦେଲେ ଇଲେକଫିଭ ଓଟି ବନ୍ଦ୍ ରହିଛି ।
ସେପଟେ ଏମକେସିଜିରେ ଏକପ୍ରକାର ଅଚଳ ହୋଇପଡିଛି ଏମକେସିଜିର ଶିଶୁ ବିଭାଗ । ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସି ରୋଗୀ ଫେରିଯାଉଥିବା ଦେଖିବାକୁ ମିଳିଛି । ଜଗତସିଂହପୁର, ବଲାଙ୍ଗୀର, ସମ୍ବଲପୁର, ରାଉରକେଲା, ବରଗଡ଼ ଓ ବାଲିଗୁଡାରୁ ମଧ୍ୟ ଆସିଛି ସମାନ ଦୃଶ୍ୟ । ଅନ୍ୟପଟେ ନର୍ସ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରି ଆସିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତେଇ ଦେଇଛି ଓଡ଼ିଶା ନର୍ସିଂ ସଂଘ ।