କନକ ବ୍ୟୁରୋ: ଉତ୍ତରକାଶୀର ଘଟଣା । ଡ୍ୟାମରୁ ମିଳିଲା ଯୁବ ସାମ୍ବାଦିକ ରାଜୀବ  ପ୍ରତାପଙ୍କ ମୃତଦେହ । ଆରମ୍ଭ ହେଲା ଛାନବିନ୍ ।  ରାଜୀବଙ୍କ ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ । ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ହୋଇଥିବା ଏକ ଭ୍ରଷ୍ଟାଚାରର ସତ ଛାପିଥିଲେ ରାଜୀବ  । ତାଙ୍କ ପାଖରେ ଥିଲା ଦୁର୍ନୀତିର ଭିଡିଓ । ଏନେଇ ତାଙ୍କ ପାଖକୁ ଓ ତାଙ୍କ ପତ୍ନୀଙ୍କ ପାଖକୁ ମଧ୍ୟ ଆସୁଥିଲା ଅଜଣା ଫୋନ୍ କଲ୍  । ଭିଡ଼ିଓ ଡିଲିଟ୍ କରିବାକୁ ବାରମ୍ବାର ଦିଆଯାଉଥିଲା ଧମକ । ହେଲେ ଏହାକୁ ଖାତିର କରୁନଥିଲେ ରାଜୀବ  । ଶେଷରେ ତାଙ୍କୁ ହତ୍ୟା କରାଗଲା ।

Advertisment

ପତ୍ନୀଙ୍କ କହିବା ଅନୁସାରେ,  ସେପ୍ଟେମ୍ବର ୧୮ ତାରିଖରେ ରାଜୀବ ତାଙ୍କ ସାଙ୍ଗର କାର୍ ନେଇ ଗଙ୍ଗୋତ୍ରି ଆଡ଼େ କାମରେ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପୁଲିସରେ ନିଖୋଜ ଏଫଆଇଆର ଦିଆଯିବା ପରେ ପୁଲିସ ଖୋଜିଥିଲା । ଗଙ୍ଗୋତ୍ରିର ଏକ ନିଛାଟିଆ ସ୍ଥାନରେ ତାଙ୍କ କାର୍ ଥିଲା ହେଲେ ସେଥିରେ ରାଜୀବ ନଥିଲେ । ପୁଲିସ ସହ ଏନଡିଆରଏଫ୍ ଟିମ୍ ସବୁଆଡ଼େ ଖୋଜିଲେ । ୧୦ ଦିନ ପରେ  ଯୋଶିୟାଡ଼ା ବ୍ୟାରେଜରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ଏହା ରୀଜୀବଙ୍କର ବୋଲି ପରିବାର ଲୋକ ଚିହ୍ନିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସତରେ କ’ଣ ଯିଏ ସତକୁ ବାଛିଲା ତାକୁ ମୃତ୍ୟୁ ମିଳିଲା?

ୟା ପୂର୍ବରୁ ବି ସତ ଉଗାଳି ହତ୍ୟାର ଶିକାର ହୋଇଛନ୍ତି ଅନେକ ସାମ୍ବାଦିକ । ଏମିତି ଏକ ଘଟଣା ଚଳିତ ବର୍ଷ ଜାନୁଆରି ମାସରେ ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଏକ ଠିକା ସଂସ୍ଥାରେ ହୋଇଥିବା ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ୍ କରିବା ପରେ ଜର୍ଣ୍ଣାଲିଷ୍ଟ୍ ମୁକେଶ ଚନ୍ଦ୍ରଶେଖରଙ୍କୁ ବି ହତ୍ୟା କରାଗଲା ।ନିଖୋଜ ହେବାର ୩ ଦିନ ପରେ ଏକ ସେପ୍ଟିକ୍ ଟ୍ୟାଙ୍କରୁ ତାଙ୍କର ମୃତଦେହ ମିଳିଲା । ତାଙ୍କ ଏତିକି ଦୋଷ ଥିଲା ଯେ ଏକ ଉନ୍ନୟନମୂଳକ କାମରେ କଣ୍ଟାକ୍ଟରମାନେ  କରିଥିବା ଜାଲିଆତିର ସେ ପୋଲ୍ ଖୋଲିଦେଇଥିଲେ ।

୨୦୨୧ ଅଗଷ୍ଟ ୧୦ ତାରିଖ । ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ଜର୍ଣ୍ଣାଲିଷ୍ଟ ମନିଷ କୁମାର ସିଂଙ୍କ ଗଳିତ ମୃତଦେହ ଉଦ୍ଧାର ହେଲା । କିଛି ସ୍ଥାନୀୟ ଦୁର୍ବତ୍ତ ତାଙ୍କ ହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିବାବେଳେ ତାଙ୍କ ହତ୍ୟା ପଛରେ ଅନ୍ୟ ଦୁଇ ସାମ୍ବାଦିକଙ୍କ ହାତ ଥିବା ପୁଲିସ ସନ୍ଦେହ କରିଥିଲା । 

ଅଉେ ଟିକେ ଆଗକୁ ଗଲେ ଦେଖିବା ୨୦୨୧ ନଭେମ୍ବର ଦୁଇ ଜର୍ଣ୍ଣାଲିଷ୍ଟ ତଥା ଆରଟିଆଇ ଅକ୍ଟିଭିଷ୍ଟ ବୁଦ୍ଧନାଥ ଝା ଓ ଅଭିନାଶ ଝାଙ୍କ ପୋଡ଼ା ମୃତ ଦେହକୁ ପାଟଣାର ଏକ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା।  ମଧୁବନି ଜିଲ୍ଲାରେ ଚାଲିଥିବା ବେଆଇନ୍ କ୍ଲିନିକର ଖବର ଛାପିବା ପରେ ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ହୋଇଥିଲା । ପ୍ରତିବର୍ଷ ସତ ଖୋଜୁଥିବା ସାମ୍ବାଦିକଙ୍କୁ ଅପହରଣ ଓ ହତ୍ୟା କରାଯାଉଛି । ଏ ଅପରାଧରେ ବ୍ରେକ୍ ଲାଗୁନି । ତେଣୁ ପ୍ରଶ୍ନ ଉଠୁଛି,, ସତ କହିଲେ ଏମିତି ମୃତ୍ୟୁ ଦଣ୍ଡ ମିଳୁଥିବ ? ସତ କହିବା କ’ଣ ସତରେ ଅପରାଧ ?