କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଏମସିଏଲର ଦାଦାଗିରି । ପ୍ରଭାବିତ ଗାଁ ଲୋକଙ୍କୁ ସଭାକୁ ପଶିବାକୁ ଦେଲନି । ପୁଲିସ ଲଗାଇ ଗାଁ ମୁଣ୍ଡରେ ଅଟକାଇ ଦେଲେ। ହାଇକୋର୍ଟ ଆଦେଶ ପରେ ଇବ୍ ଭ୍ୟାଲିର କୁଲଡା ଖୋଲା ମୁହଁ କୋଇଲା ଖଣି କ୍ଷେତ୍ରର ଖଣି ପରିମିତ ଅଞ୍ଚଳ ବୃଦ୍ଧି ପାଇଁ ଚାଲିଥିଲା ଜନଶୁଣାଣି । କିନ୍ତୁ ପ୍ରଭାବିତ ତୁମୁଲିଆ ଗାଁ ଲୋକଙ୍କୁ ଜନଶୁଣାଣିରେ ସାମିଲ କରିନାହିଁ କମ୍ପାନି। ସମ୍ମିଳନୀକୁ ଆସିବା ସମୟରେ ପୋଲିସ ଲଗାଇ ସେମାନଙ୍କୁ ଅଟକାଇ ଦିଆଗଲା । ଆଉ ପୁଲିସ ଲୋକଙ୍କୁ ଛାଡ଼ିବା ବେଳକୁ ଜନଶୁଣାଣି ଶେଷ ହୋଇଯାଇଥିଲା ।
ଯାହାକୁ ନେଇ ତୁମୁଲିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏମସିଏଲର ଏଭଳି ମନମାନିକୁ ବିରୋଧ କରିଛନ୍ତି ପ୍ରଭାବିତ ହେବାକୁ ଥିବା ଗାଁର ଲୋକେ । ଲୋକଙ୍କ ମତ ନନେଇ ଏମସିଏଲକୁ ଜମି ଦେବା ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜନଶୁଣାଣି ନାମରେ ଏପରି ପ୍ରହସନ ବନ୍ଦ କରିବା ସହ ପୁନର୍ବାର ଲୋକଙ୍କୁ ସାମିଲ କରି ଜନଶୁଣାଣି କରିବାକୁ ଦାବି ହୋଇଛି। ଏନେଇ ଗ୍ରାମବାସୀଙ୍କ ତରଫରୁ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଛି ।
କୁଲଡା ଖଣି କ୍ଷେତ୍ରରେ ବାର୍ଷିକ ୨୧ ମିଲିୟନ ଟନ୍ କୋଇଲା ଉତ୍ପାଦନ ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିପାଇଁ ଖଣି ପରିମିତ ଅଞ୍ଚଳ ୬୩୪.୨୦୫ ହେକ୍ଟରରୁ ୯୨୧.୩୦୫ ହେକ୍ଟରକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି । ଏହି ଅଞ୍ଚଳ ଲାଲମା ସଂରକ୍ଷିତ ଜଙ୍ଗଲରେ ଆସୁଥିବାରୁ ଏଥିରେ ନିର୍ଭର କରୁଥିବା ଗାଁ ଲୋକଙ୍କୁ ନେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଦ୍ବାରା ଜନଶୁଣାଣି କରିବାକୁ ଜିଲ୍ଲାପାଳ ନୋଟିସ କରିଥିଲେ। ଆଜି ଶେଷ ଜନ ଶୁଣାଣି ଥିବା ବେଳେ ଏମସିଏଲ କମ୍ପାନି ନିଜ କର୍ମଚାରୀଙ୍କୁ ଏଥିରେ ସାମିଲ କରି ଗ୍ରାମବାସୀଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି ।