କନକ ବ୍ୟୁରୋ: ଧରାପଡ଼ିଲା ଏମ୍ସିଏଲ୍ର ମିଛ ରିପୋର୍ଟ । ମିଛ ରିପୋର୍ଟ ଦେଇ ଖଣି ସମ୍ପ୍ରସାରଣ କରିଛି ଏମ୍ସିଏଲ । କେବଳ ଖଣି ସମ୍ପ୍ରସାରଣ ନୁହେଁ, ଦାଦାଗିରି କରି ଲୋକଙ୍କ ରାସ୍ତାରେ କରୁଛି କୋଇଲା ପରିବହନ । ଏନେଇ ବାରମ୍ବାର ଆନ୍ଦୋଳନ ପରେ ବି କମ୍ପାନିର ଭ୍ରୁକ୍ଷେପ ନାହିଁ ।
ସୁନ୍ଦରଗଡ଼ ଜିଲ୍ଲା କୋଇଲା ଖଣି ଅଞ୍ଚଳର ସ୍ଥିତି ଖୁବ୍ ଚିନ୍ତାଜନକ । ମିଛ ରିପୋର୍ଟ ଦେଇ ଖଣି ସମ୍ପ୍ରସାରଣ କରିଛି ଏମ୍ସିଏଲ୍ । ଖାଲି ସେତିକି ନୁହେଁ, ଲୋକଙ୍କ ଯାତାୟାତ ରାସ୍ତାରେ ଜୋରଜବରଦସ୍ତ କୋଇଲା ପରିବହନ କରୁଛି । ପ୍ରତିଦିନ ୫ ହଜାରରୁ ଅଧିକ ଟ୍ରଲର୍ରେ କୋଇଲା ପରିବହନ ହେଉଛି । ଛୋଟବଡ଼ ଦୁର୍ଘଟଣା ଘଟୁଛି । ଧୂଳିଧୂଆଁରେ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । କୋଇଲା ଧୂଆଁରେ ଫସଲ ନଷ୍ଟ ହୋଇଯାଉଛି । ଏମ୍ସିଏଲ୍ର ବାଙ୍କିବାହାଲ ଠାରୁ ଟପରିଆ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଗାଁ ସମସ୍ୟା ଭୋଗୁଛି ।
୨୦୧୯ ନଭେମ୍ବରରେ ଭାରତ ସରକାରଙ୍କ ଏମ୍ଓଇଏଫ୍ସିସି ଦର୍ଶାଇଥିଲେ ଯେ ଏମ୍ସିଏଲ୍ ପରିବେଶ ମଞ୍ଜୁରି ଆଇନର ସଠିକ ଅନୁପାଳନ କରୁଛି । କୋଇଲା ପରିବହନ ପାଇଁ ବାଏପାସ୍ ବା ସ୍ୱତନ୍ତ୍ର କରିଡର ବ୍ୟବହାର କରୁଛି । ଏହି ରିପୋର୍ଟ ଦାଖଲ ହେବା ପରେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି ୨୦୧୯ ଡିସେମ୍ବରରେ କୁଲଡ଼ା ଖଣିକୁ ୩୦ବର୍ଷ ସମ୍ପ୍ରସାରଣ ପାଇଁ ସୁପାରିସ କରିଥିଲେ । ହେଲେ ଏମ୍ସିଏଲ୍ର ବାସ୍ତବିକ ଚିତ୍ର ଏବେ ଆପଣଙ୍କ ସାମ୍ନାରେ । ଅନ୍ୟପଟେ ଏମସିଏଲ୍ର ଗାଁ ରାସ୍ତା ଦେଇ କୋଇଲା ପରିବହନକୁ ସ୍ୱୀକାର କରିଛି ଜିଲ୍ଲା ପ୍ରଶାସନ ।
ଜିଲ୍ଲା ପ୍ରଶାସନ ଜାଣତରେ ଏମ୍ସିଏଲ୍ର ମନମାନୀ ଚାଲିଥିବା ଅଭିଯୋଗ ହୋଇଛି । ତେବେ ମିଛ ରିପୋର୍ଟ ପ୍ରକାଶ ପାଇବା ପରେ କେବେ ଏହି କୋଇଲା ପରିବହନ ଉପରେ ରୋକ୍ ଲାଗିବ ତାହା ଏକ ବଡ଼ ପ୍ରଶ୍ନ ।