କନକ ବ୍ୟୁରୋ: ନୂଆଦିଲ୍ଲୀରେ ଷ୍ଟ୍ରିଟ୍ ଫୁଡ୍ ହାଇଜିନ୍ ବା ସ୍ୱଚ୍ଛତାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମହାନଗର ନିଗମ ଏକ ବ୍ୟାପକ ଅଭିଯାନ ଚଳାଇ ୧୦୦୦ରୁ ଅଧିକ ଖାଦ୍ୟ ବିକ୍ରୟ କେନ୍ଦ୍ରକୁ ସିଲ୍ କରିଛି ଏବଂ ପାଖାପାଖି ୭୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି । ଏହି କାର୍ଯ୍ୟାନୁଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଛି ଖାଦ୍ୟଜନିତ ରୋଗକୁ ରୋକିବା ଏବଂ ଜନସାଧାରଣଙ୍କ ପାଇଁ ସୁରକ୍ଷିତ ଖାଦ୍ୟପେୟ ସୁନିଶ୍ଚିତ କରିବା ।
ଏପ୍ରିଲ ୧ରୁ ଜୁନ୍ ୩୦ ମଧ୍ୟରେ MCDର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ "ସବ୍-ଫୁଡ୍ ହାଇଜିନ୍ ରେଡ୍" ନାମକ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନରେ MCDର ସମସ୍ତ ୧୨ଟି ଜୋନ୍କୁ ସାମିଲ କରାଯାଇଥିଲା । ଅଧିକାରୀମାନେ ମୋଟ ୫,୦୪୦ଟି ଖାଦ୍ୟ ପ୍ରତିଷ୍ଠାନର ଯାଞ୍ଚ କରିଥିଲେ, ଯେଉଁଥିରେ ମାଂସ ଦୋକାନ, ଢାବା, ରେଷ୍ଟୁରାଣ୍ଟ, ଜୁସ୍ କର୍ଣ୍ଣର ଏବଂ ମିଠା ଦୋକାନ ଆଦି ସାମିଲ ଥିଲା । ଯାଞ୍ଚ ସମୟରେ ୧,୦୨୯ଟି ଦୋକାନ ସ୍ୱାସ୍ଥ୍ୟ ଓ ଲାଇସେନ୍ସ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା, ଯାହାଫଳରେ ସେଗୁଡ଼ିକୁ ସିଲ୍ କରିଦିଆଯାଇଛି । ଏହା ବ୍ୟତୀତ, ସ୍ୱଚ୍ଛତା ଓ ସୁରକ୍ଷା ନିୟମ ପାଳନ ନକରିବାରୁ ୩,୧୦୭ଟି ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଥିଲା ଏବଂ ୧,୦୩୮ଟି ଚାଲାଣ କଟାଯାଇଥିଲା ।
କେଉଁ ଅଞ୍ଚଳରେ ଅଧିକ କାର୍ଯ୍ୟାନୁଷ୍ଠାନ ?
ଏହି ଅଭିଯାନରେ ସେଣ୍ଟ୍ରାଲ ଜୋନ୍, ସାଉଥ୍ ଜୋନ୍ ଏବଂ ୱେଷ୍ଟ ଜୋନ୍ରେ ସବୁଠାରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେବଳ ସେଣ୍ଟ୍ରାଲ ଜୋନ୍ରେ ହିଁ ୮୪୦ଟି ପ୍ରତିଷ୍ଠାନର ଯାଞ୍ଚ କରାଯାଇ ୨୩୭ଟି ୟୁନିଟ୍ ସିଲ୍ କରାଯାଇଛି, ଯାହାକି ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ । ଏହି ଅଭିଯାନ ମୁଖ୍ୟତଃ ଜନଗହଳିପୂର୍ଣ୍ଣ ଅଞ୍ଚଳ, ବିଶେଷକରି ସ୍କୁଲ ଏବଂ ଧାର୍ମିକ ସ୍ଥାନଗୁଡ଼ିକ ନିକଟରେ ଥିବା ଅନଧିକୃତ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ କେନ୍ଦ୍ରିତ ଥିଲା । ଏହି ତିନିମାସିଆ ଅଭିଯାନରେ MCD ମୋଟ ୭୮,୭୦,୧୨୪ ଟଙ୍କା ଜରିମାନା ଆକାରରେ ଆଦାୟ କରିଛି ।
ଦିଲ୍ଲୀରେ ଷ୍ଟ୍ରିଟ୍ ଫୁଡ୍ ଅତ୍ୟନ୍ତ ଲୋକପ୍ରିୟ, କିନ୍ତୁ ଏହାର ସ୍ୱଚ୍ଛତା ଏକ ବଡ଼ ଚିନ୍ତାର ବିଷୟ। ଅନେକ ସମୟରେ ବିକ୍ରେତାମାନେ ସ୍ୱଚ୍ଛତାର ମୌଳିକ ମାନଦଣ୍ଡ ପାଳନ କରନ୍ତି ନାହିଁ, ଯାହା ଫଳରେ ଟାଇଫଏଡ୍, ଜଣ୍ଡିସ୍ ଭଳି ରୋଗ ବ୍ୟାପିବାର ଆଶଙ୍କା ଥାଏ । ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଆକ୍ଟ ଅନୁଯାୟୀ, ଯେକୌଣସି ଖାଦ୍ୟ ଦୋକାନ ଚଳାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗରୁ ଟ୍ରେଡ୍ ଲାଇସେନ୍ସ ବାଧ୍ୟତାମୂଳକ। । ଯେଉଁମାନେ ବିନା ଲାଇସେନ୍ସରେ କିମ୍ବା ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରନ୍ତି, ସେମାନଙ୍କ ବିରୋଧରେ ଦଣ୍ଡବିଧାନ ସ୍ୱରୂପ ଜରିମାନା ଏବଂ ସିଲିଂ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । MCDର ଏହି ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ରାସ୍ତାକଡ଼ ଖାଦ୍ୟର ମାନ ବୃଦ୍ଧି ପାଇବ ଏବଂ ଲୋକମାନେ ସୁରକ୍ଷିତ ଖାଦ୍ୟ ଖାଇପାରିବେ ବୋଲି ଆଶା କରାଯାଉଛି ।