Water Photograph: (kanak news)
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସାତସପନ ପାଲଟିଛି ବିଶୁଦ୍ଧ ପାଣି । ଜିଲ୍ଲାବାସୀ ପାଉନାହାନ୍ତି ମୁନ୍ଦେ ପାନୀୟ ଜଳ । ଏଠାରେ ମିଳୁଥିବା ପାଣିରେ ରହିଛି ମାତ୍ରାଧିକ ଟିଡିଏସ ଓ ଫ୍ଲୋରାଇଡ୍, ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ସାଧାରଣତଃ ଭୂତଳ ଜଳରେ ପ୍ରାୟ ୮୭ ପ୍ରକାର ସଲିଡ୍ ମିନେରାଲ ମିଶି ରହିଥାଏ, ଯାହାକୁ ଟୋଟାଲ୍ ଡିଜଲଭ୍ ସଲିଡ୍ ଇନ୍ ୱାଟର ଅର୍ଥାତ୍ ଟିଡିଏସ ବୋଲି କୁହାଯାଏ ।
ପିଇବା ପାଣିରେ ଟିଡିଏସ ପରିମାଣ ୧୫୦ ପର୍ଯ୍ୟନ୍ତ ଥିଲେ ତାହା ସଂପୂର୍ଣ୍ଣ ପିଇବା ଉପଯୋଗୀ ବୋଲି ଧରାଯାଏ । ଯଦି ଏହି ଟିଡିଏସ୍ର ମାତ୍ରା ୧୫୦ ରୁ ୩୦୦ ମଧ୍ୟରେ ରହିଲା, ତେବେ ତାହା ନିମ୍ନମାନର ପିଇବା ଉପଯୋଗୀ ପାଣି ବୋଲି ଧରାଯାଏ । ହେଲେ ମୟୂରଭଂଜ ଜିଲ୍ଲାରେ ପିଇବା ପାଇଁ ବ୍ୟବହୃତ ପାଣିରେ ଟିଡିଏସର ମାତ୍ରା ୫୦୦ ରୁ ୧୫୦୦ ପ୍ରତିଶତ ରହିଛି, ଯାହା ଆଦୌ ପିଇବା ଉପଯୋଗୀ ନୁହେଁ ।
ମାତ୍ରାଧିକ ଫ୍ଲୋରାଇଡ୍ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଫ୍ଲୋରାଇଡ୍ ଦାନ୍ତ ମାଢ଼ିକୁ ନାଲି ପକାଇବା ସହ କ୍ରମଶଃ ଦୁର୍ବଳ କରିଦିଏ । ସେହିଭଳି ଉପଯୁକ୍ତ ପିଇବା ପାଣିରେ ଲିଟର ପ୍ରତି ଆବଶ୍ୟକ ମୁତାବକ ୧ ରୁ ୧.୫ ମିଲିଗ୍ରାମ ଫ୍ଲୋରାଇଡ୍ ରହିବା ଆବଶ୍ୟକ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ନର୍ଥ ଓଡ଼ିଶା ୟୁନିଭରସିଟିର ଫ୍ଲୋରସିସ୍ ରିସର୍ଚ୍ଚ ଟିମ୍ କରିଥିବା ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି କି ଜିଲ୍ଲାର କିଛି ସ୍ଥାନରେ ପିଇବା ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍ ରହିଛି । ଜିଲ୍ଲାରେ ପାନୀୟ ଜଳର ଏଭଳି ଗବେଷଣାତ୍ମକ ତଥ୍ୟକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇସାରିଛି । ତେବେ ମୌଳିକ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ଏବେ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଇବାକୁ ଦାବି ହେଉଛି ।
Follow Us