କନକ ବ୍ୟୁରୋ: ଗରିବୀର କରୁଣ ପରିଣତି। ୨୦୦ ଟଙ୍କାରେ ନାତିକୁ ବିକିଦେଲେ ବୃଦ୍ଧା । ମୁଣ୍ଡ ଗୁଞ୍ଜିବାକୁ ନିଜର ଜାଗା ନାହିଁ । କେବେ ବସ୍ଣ୍ଟାଣ୍ଡରେ ତ କେବେ ପରପିଣ୍ଡାରେ ଶୋଇବାକୁ ପଡୁଛି । ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ । ଏହିପରି ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଜଣେ ବୃଦ୍ଧା ୨୦୦ ଟଙ୍କାରେ ନିଜର ନାତିକୁ ବିକି ଦେଇଛନ୍ତି ।
ଭୋକ ସହିପାରୁନି, ନାତିର ଦୁଃଖ ବି ଦେଖିପାରୁନି । ନାତିଟାର ପେଟକୁ ଦାନା ଦିଟା ଦେଇପାରୁନି । ସେଥିପାଇଁ ନାତିକୁ ପରହାତରେ ଟେକି ଦେଇଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ବଳଦିଆ ଗ୍ରାମର ମନ୍ଦ ହେମ୍ବ୍ରମ । ମନ୍ଦଙ୍କ ସ୍ବାମୀ କାହିଁ କେତେଦିନ ତଳୁ ମରିଯାଇଛନ୍ତି । ଶାଶୂ ଘରେ ଜାଗାବାଡ଼ି ନଥିବାରୁ ସେ ରାସଗୋବିନ୍ଦପୁର ବ୍ଲକ୍ ଛାତନା ପଞ୍ଚାୟତ ରାଇପାଳ ଗାଁରେ ୨୦୦୮ ମସିହାଠାରୁ ସାନ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ଘରେ ରହୁଥିଲେ । ତେଣୁ, ପାଞ୍ଚବର୍ଷର ନାତିଟିକୁ ଧରି ଏଣେତେଣେ ମୁଣ୍ଡ ଗୁଞ୍ଜୁଥିଲେ ମନ୍ଦ । ଭିକମାଗି ବସ୍ଷ୍ଟାଣ୍ଡରେ ରହୁଥିଲେ। କିଏ କେତେବେଳେ ଦୟା ଦେଖାଇ ମୁଠେ ଦେଇଦେଲେ ସେ ନିଜେ ଖାଆନ୍ତି ଆଉ ନାତି ତୁଣ୍ଡରେ ବି ଦେଉଥିଲେ । ମନ୍ଦଙ୍କ କହିବା କଥା ନାତିର କଷ୍ଟ ଦେଖି ସେ ଆଉ ସହିପାରିଲେନି । ଜଣେ ଲୋକ ନିଜର ପିଲା ନାହିଁ ବୋଲି କହି ବାରମ୍ବାର ଆସି ଦେଖା କରିଥିଲା । ମୋ ନାତିକୁ ନେଇ ଭଲରେ ରଖିବ ବୋଲି କହିଲା। କାଲି ରାତିରେ ସେ ନେଇଯାଇଛି । ଆଉ ମୋତେ ୨୦୦ ଟଙ୍କା ଦେଇଯାଇଛି । ଆଉ କାଗଜରେ ଫୋନ୍ ନମ୍ବର ଲେଖିଦେଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ମନ୍ଦ ହେମ୍ବ୍ରମ୍ ।