କନକ ବ୍ୟୁରୋ: ମଶାଣି ଜମି ବିବାଦ ଯୋଗୁଁ ୧୦ଘଣ୍ଟା ଧରି ପଡି ରହିଲା ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ପଞ୍ଚାୟତର ଦୁର୍ଗାପୁର ଗାଁର ଦୁଇ ସାହିର ଲୋକ ମୁହାଁମୁହିଁ । ଶେଷରେ ପ୍ରଶାସନ ଉପସ୍ଥିତିରେ କରାଗଲା ଶବଦାହ । ଗତ ରାଖୀ ପୂର୍ଣ୍ଣିମା ଦିନ ଦୁର୍ଗାପୁର ଗାଁ ଦଳେଇ ସାହି ଗ୍ରାମର ଶତାଧିକ ମହିଳା ପୁରୁଷ ମିଶି ପ୍ରଧାନ ମନ୍ତ୍ରୀଙ୍କ ୭୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ମାଆ ପାଇଁ ଗଛଟିଏ ଅଭିଯାନରେ ସାମିଲ ହୋଇ ସ୍ଥାନୀୟ ମହୁଲପତଡି ପଡିଆରେ ୫ଶହରୁ ଅଧିକ ଗଛ ଲଗାଉଥିବା ସମୟରେ ସ୍ଥାନୀୟ ଦୁର୍ଗାପୁର ଗ୍ରାମର ଶତାଧିକ ଏହାକୁ ବାରଣ କରିଥିଲେ । ଏବଂ କହିଥିଲେ ଏହି ପଡ଼ିଆକୁ ସେମାନେ ଶ୍ମଶାନ ଭାବେ ବ୍ୟବହାର କରନ୍ତି । ଏଠାରେ ପୂର୍ବପୁରୁଷଙ୍କର ସମାଧି ମଧ୍ୟ ରହିଛି l
ଏହି କଥାକୁ ନେଇ ସେତେବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପ୍ରଶାସନ ହସ୍ତକ୍ଷେପରେ ଅସ୍ଥାୟୀ ସମଧାନ ହୋଇଥିଲା। ତେବେ ଏହି ଘଟଣାର ମାସେ ପରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଗାପୁର ଗାଁର ସ୍ବର୍ଗତ ମଧୁସୂଦନ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନଙ୍କ ଦେହାନ୍ତ ଘଟିଥିଲା । ପରିବାର ଓ ସାହିପଡିଶା ଲୋକ ବେଣୁଧରଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ମଶାଣି କାଠ ଚିରିବାକୁ ଯାଇଥିଲେ । ଦଳେଇ ସାହିର ଶତାଧିକ ଲୋକ ତାଙ୍କୁ କାଠ ହାଣିବାକୁ ବାରଣ କରିବା ସହିତ ସେଠାରେ ଶବଦାହ କରିବାକୁ ମନା କରିଥିଲେ । ଘଟଣାସ୍ଥଳରେ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତକଙ୍କ ପରିବାର ଲୋକ ବୈଶିଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ଅଧିକାରୀ, ବେତନଟୀ ବିଡିଓ ଏବଂ ପ୍ରାଶାସନିକ ଅଧିକାରୀଙ୍କ ପହଞ୍ଚିଥିଲେ। ତହସିଲଦାର ଦୁଇ ଗାଁ ପାଇଁ ସଙ୍ଗେ ସଙ୍ଗେ ୧୫ ଡିସଲିମର ମଶାଣି ଜମି ଚିହ୍ନଟ କରିଥିଲେ। ପରେ ମୃତ୍ୟର ପ୍ରାୟ ୧୦ଘଣ୍ଟା ପରେ ବେଣୁଧରଙ୍କ ମୃତଦେହ ଦାହ ପ୍ରକ୍ରିୟା ଆରମ୍ଭ କରାଇଥିଲେ ।