କନକ ବ୍ୟୁରୋ : ମୟୂରଭଞ୍ଜରେ ଅଚଳ ହୋଇପଡ଼ିଛି ଅଧାରୁ ଅଧିକ ଶୀତଳ ଭଣ୍ଡାର । ଚାଷୀ ନିଜ ଅମଳ ଫସଲକୁ ସାଇତି ରଖିବାକୁ ସମସ୍ୟା ଭୋଗୁଛି । ଯେଉଁ ୨ଟି ସଚଳ ଅଛି, ସେଥିରେ ଓଡ଼ିଶା ଠୁ ଅଧିକ ପଶ୍ଚିମବଙ୍ଗ ଚାଷୀ ବ୍ୟବହାର କରୁଛନ୍ତି । ଫଳରେ ରାଜ୍ୟର ଚାଷୀ ଅଭାବ ବିକ୍ରିର ଶିକାର ହେଉଛନ୍ତି । ଖାଉଟି ଅଧିକ ଦରରେ ପନିପରିବା କିଣୁଛନ୍ତି । ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

Advertisment

ମୟୂରଭଞ୍ଜର ମାଟି, ପାଣି, ପବନ ଚାଷ କାର୍ଯ୍ୟ ପାଇଁ ବେଶ ଅନୁକୂଳ । ବିଭିନ୍ନ ପ୍ରକାର ପନିପରିବା ଏଠାରେ ଚାଷ ହୋଇଥାଏ । ଆଉ ଏହାକୁ ସାଇତି ରଖିବାକୁ ଦରକାର ଶୀତଳ ଭଣ୍ଡାର । ଯାହାର ବ୍ୟବସ୍ଥା ମୟୂରଭଞ୍ଜରେ ଅତ୍ୟନ୍ତ ବିପର୍ଯ୍ୟସ୍ତ । ଜିଲ୍ଲାରେ ସମୁଦାୟ ୧୦ଟି ଶୀତଳ ଭଣ୍ଡାର ରହିଛି । ସେଥିରୁ ୮ଟି ଅଚଳ, ମାତ୍ର ୨ଟି ଘରୋଇ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । କିଛି ମାସ ତଳେ ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା ନେଇ ବିଧାନସଭାରେ ପ୍ରତିଶ୍ରୁତି ଦେଇଥିଲେ । ଯାହା କେବଳ ଲୋକ ଦେଖଣିଆ ପରି ମନେ ହେଉଛି ।

ଅଧିକ ପଢ଼ନ୍ତୁ : ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିବ କିଏ ? ଅସହାୟ ହୋଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ୨ ଭଉଣୀ, ମିଳୁନି ସରକାରୀ ସହାୟତା

ଏହି ୨ ଶୀତଳ ଭଣ୍ଡାର ଉପରେ ଓଡ଼ିଶା କମ୍‌, ପଶ୍ଚିମବଙ୍ଗ ଅଧିକ ନିର୍ଭର କରୁଛି । ପଡ଼ୋଶୀ ରାଜ୍ୟର ଚାଷୀ ଏଠାରେ ନିଜ ଅମଳ ସଂରକ୍ଷିତ ରଖି ଅଧିକ ଦରରେ ବିକ୍ରି କରୁଛନ୍ତି । ଆଉ ମୟୂରଭଞ୍ଜ ଚାଷୀ ଫସଲ ରଖିବାକୁ ଜାଗା ପାଉନି । ଯେଉଁଥିପାଇଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଆଳୁ, ଟମାଟୋ ଭଳି ପନିପରିବା ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ।

ଚାଷୀଙ୍କ ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେବେ ସରକାର ? ମୟୂରଭଞ୍ଜରେ ଚାଷୀ କେବେ ପାଇବେ ଶୀତଳ ଭଣ୍ଡାରର ସୁବିଧା ? ତୁରନ୍ତ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରାନଗଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛି କୃଷକ ସଂଗଠନ । ଏଥିସହ ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଅଭ୍ୟସ୍ତ କରାଇବା ଦିଗରେ ସରକାର ଦାୟିତ୍ବ ନେବା ଆବଶ୍ୟକ ।