କନକବ୍ୟୁରୋ : କିଏ ଜାଣିଥିଲା ଜନ୍ମ କଲା ସନ୍ତାନ ସାଜିବ ସଇତାନ , କଣ ସତରେ ଏବେ ଏତେ ତଳକୁ ଖସିଗଲାଣି ଆମ ସମାଜ , ମାତ୍ର ୧୦ ଟଙ୍କା ପାଇଁ ବାପା ମୁଣ୍ଡ କାଟି ନେଇଗଲା ପୁଅ । ଖଇନି କିଣିବା ପାଇଁ ବାପାଙ୍କୁ ୧୦ ଟଙ୍କା ମାଗିଲା । ଆଉ ବାପା ଟଙ୍କା ନଦେବାରୁ ବାପାଙ୍କର ମୁଣ୍ଡ କାଟି ନେଇ ଫେରାର ହୋଇଗଲା । ମୟୁରଭଞ୍ଜ ଚାନ୍ଦୁଆ ଗାଁରେ ବାପାକୁ ବୀଭତ୍ସ ହତ୍ୟା ଘଟଣା ରେ ଅଭିଯୁକ୍ତ ପୁଅ ଗିରଫ ହେବା ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛି ଜହ୍ଲାଦ ପୁଅ ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଚାନ୍ଦୁଆ ଗାଁର ବାଇଧର ସିଂକୁ ଖଇନି ଖାଇବା ପାଇଁ ୧୦ ଟଙ୍କା ମାଗିଥିଲା ପୁଅ ଶମ୍ଭୁ ସିଂ । ହେଲେ ଚେଞ୍ଜ ଟଙ୍କା ନଥିବା କହିଥିଲେ ବାପା ବାଇଧର । ଆଉ ଶମ୍ଭୁକୁ ଟଙ୍କା ଦେଇନଥିଲେ । ଟଙ୍କା ନଦେବାରୁ ରାଗିଯାଇ ବାପାଙ୍କୁ ଧମକ ଦେଇଥିଲା ପୁଅ । ଆଉ କେବଳ ସେଥି ପାଇଁ ବିଳମ୍ବିତ ରାତିରେ ନିଜ ଜନ୍ମଦାତା ବାପକୁ ଅତି ଜଘନ୍ୟ ଭାବେ ହତ୍ୟା କରି ଗଣ୍ଡିରୁ ମୁଣ୍ଡ ଅଲଗା କରି ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ଘଟଣା ସ୍ଥଳରୁ ମାରିଥିଲା ଚମ୍ପଟ । ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଚାନ୍ଦୁଆ ପୋଲିସ ।