କନକ ବ୍ୟୁରୋ : ଗତ ଚଣ୍ଡିଗଡ଼ ନଗର ନିଗମ ଭୋଟ ଗଣତି ବେଳେ ଯାହା ଘଟିଥିଲା ତାହା ଭାରତ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଥିଲା । ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ସିଧାସଳଖ ନ୍ୟାୟାଳୟ କହିଥିଲେ । ଏବେ ପୁଣି ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଏକ ନୂଆ ଖବର ଆସିଛି । ଦୀର୍ଘ ୨୯ ବର୍ଷ ପରେ ଏବେ ଚଣ୍ଡିଗଡ ମେୟର ନିର୍ବାଚନରେ ମତଦାନ ପ୍ରକ୍ରିୟା ବଦଳିବାକୁ ଯାଉଛି । ପୂର୍ବରୁ ବାଲାଟ୍ ପେପରରେ କାଉନ୍‌ସିଲରମାନେ ଭୋଟ ଦେଇ ମେୟର ନିର୍ବାଚିତ କରୁଥିବା ବେଳେ ଏବେ ନା ବାଲାଟ ପେପର କେବଳ କାଉନସିଲରମାନେ ହାତଟେକି ଭୋଟ ଦେବେ । ଅର୍ଥାତ ମେୟର ପ୍ରାର୍ଥୀଙ୍କ ନାମ ଡକାଯିବ ଓ ଯେଉଁ କାଉନସିଲରମାନେ ସେହି ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ସେମାନେ ହାତ ଟେକିବେ।

Advertisment

ପ୍ରଶାସକ ଗୁଲାବ ଚନ୍ଦ କଟାରିଆ ଏହି ନୂଆ ନିୟମକୁ ସଂଶୋଧନ କରିବା ନେଇ ହୋଇଥିବା ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଅନିଲ ମସିହା ବିବାଦ ଓ ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ନିଆଯାଇଛି । ଆସନ୍ତା ନିର୍ବାଚନରୁ ଏହି ନୂଆ ପ୍ରଣାଳୀ ଲାଗୁ ହେବ ।

ଏହି ନୂଆ ନିୟମ ଫଳରେ କେବଳ ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ଆସିବ ତାହା ନୁହେଁ ବରଂ ରାଜନୈତିକ ଦଳମାନଙ୍କ ରଣନୀତି ଉପରେ ବି ଏହାର ପ୍ରଭାବ ପଡିବ । ବିଶେଷ କରି ବିଜେପି ପାଇଁ ଏହା ଚ୍ୟାଲେଞ୍ଜ ପାଲଟିବ । କାରଣ ଯଦି ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ମେଣ୍ଟ ଜାରି ରହିବ ତେବେ ଏହି ମେଣ୍ଟ ବହୁମତ ହାସଲ କରିବା ସହଜ ହେବ । ବର୍ତ୍ତମାନ ବିଜେପିର ୧୬ ସଦସ୍ୟ ଥିବା ବେଳେ ଆମ୍ ଆଦମୀ ପାର୍ଟି ପାଖରେ ୧୩ ଓ କଂଗ୍ରେସ ପାଖରେ ୬ ଜଣ ସଦସ୍ୟ ରହିଛନ୍ତି । ଅର୍ଥାତ ବିଜେପି ପାଖରେ ୧୬ ଓ ମେଣ୍ଟ ପାଖରେ ୧୯ ସଦସ୍ୟ ଅଛନ୍ତି ।