କନକ ବ୍ୟୁରୋ : ବିଏସପି ସୁପ୍ରିମୋ ମାୟାବତୀ ଗୁରୁବାର ତାଙ୍କ ୭୦ତମ ଜନ୍ମଦିନ ପାଳନ ଅବସରରେ ରାଜଧାନୀ ଲକ୍ଷ୍ନୌରେ ଏକ ବଡ଼ ରାଜନୈତିକ ରଣନୀତି ଆପଣେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ୨୦୨୫ ଶୀତକାଳୀନ ଅଧିବେଶନ ସମୟରେ, ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ବିଜେପିର ବ୍ରାହ୍ମଣ ବିଧାୟକମାନେ ଏକ ବୈଠକ କରିଥିଲେ। ସେମାନେ ବିଜେପି ସରକାର ବିରୋଧରେ ଉପେକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେହିପରି କ୍ଷତ୍ରିୟ ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପ୍ରତ ଉଭୟ ସବର୍ଣ୍ଣ ବର୍ଗଙ୍କ ସହିତ କ’ଣ ଘଟିଛି ତାହା କାହାକୁ ଅଛଫା ନାହିଁ। ଯଦି ବିଏସପି ସରକାର ଗଠନ କରେ,ତେବେ ଦଳ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବ। ଏଭଳି ମନ୍ତବ୍ୟ ଦେଇ ସେ ସବର୍ଣ୍ଣ କାର୍ଡ ଖେଳିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : Bihar Election: ଭୋଟ୍ କାଟିଦେଲେ ପିକେ, ମାୟାବତୀ ଆଉ ଔବୈସୀ ?

ମାୟାବତୀ କହିଛନ୍ତି, ଆମେ ସର୍ବଦା ବ୍ରାହ୍ମଣ ସମାଜକୁ ପ୍ରତିନିଧିତ୍ୱ ଦେଇଆସିଛୁ। ବ୍ରାହ୍ମଣମାନେ କାହା ଦ୍ୱାରା ଭ୍ରମିତ ହେବା ଉଚିତ ନୁହେଁ। ବ୍ରାହ୍ମଣମାନଙ୍କ ବିରୋଧରେ ଯେକୌଣସି ପ୍ରକାରର ଅତ୍ୟାଚାରକୁ ରୋକିବା ପାଇଁ ବିଏସପି ସରକାର କ୍ଷମତାକୁ ଆସିବା ଆବଶ୍ୟକ। ସେ କ୍ଷତ୍ରିୟ ବିଧାୟକଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି, ଆମେ ସରକାରକୁ ଆସିଲେ ସେମାନଙ୍କୁ ମଧ୍ୟ ପୂର୍ଣ୍ଣ ସମ୍ମାନ ଦିଆଯିବ। ବିଏସପି ସରକାରରେ ସମଗ୍ର ସମାଜ ଉପକୃତ ହୋଇଛି। ଜାତିବାଦୀ ଦଳଗୁଡ଼ିକ ଦ୍ୱାରା କେହି ବିଭ୍ରାନ୍ତ ହେବା ଉଚିତ ନୁହେଁ।ବିଏସପି ସରକାର ସମୟରେ ମନ୍ଦିର-ମସଜିଦ ପ୍ରସଙ୍ଗ କେବେ ଉଠିନଥିଲା। ଆମ ସରକାର ସମୟରେ କେବେ ଦଙ୍ଗା ହୋଇନଥିଲା। ସରକାର "ସର୍ବଜନ ସୁଖାୟ ସର୍ବଜନ ହିତାୟ"ର ମୌଳିକ ନୀତି ଆଧାରରେ କାର୍ୟ୍ୟ କରୁଥିଲା। ଆଇନ ଶୃଙ୍ଖଳା ସ୍ଥିତି ସୁଦୃଢ଼ ରହିଥିଲା। ବିଏସପି ସରକାର ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ ପରବର୍ତ୍ତୀ ସରକାରମାନେ ନାମ ପରିବର୍ତ୍ତନ କରି ଆଗକୁ ବଢ଼ାଇଛନ୍ତି। ଏକ୍ସପ୍ରେସୱେ ସମ୍ପର୍କରେ, ସେ କହିଛନ୍ତି ଯେ, ଏଥିପାଇଁ ରୋଡମ୍ୟାପ୍ ଆମ ସରକାର ସମୟରେ ତିଆରି କରାଯାଇଥିଲା ଏବଂ କିଛି ସମ୍ପୂର୍ଣ୍ଣ ହୋଇସାରିଥିଲା। ବହୁଜନ ସମାଜକୁ ଜାତିବାଦୀ ଦଳଗୁଡ଼ିକ ଦ୍ୱାରା ଭ୍ରମିତ ନ ହେବାକୁ ମଧ୍ୟ ସେ ସତର୍କ କରାଇଛନ୍ତି।

ଅଧିକ ପଢ଼ନ୍ତୁ : ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ମାୟାବତୀଙ୍କ ଦୃଢ଼ ନିନ୍ଦା ;  କହିଲେ , କଡ଼ା ପଦକ୍ଷେପ ନିଅନ୍ତୁ ସରକାର

ଆମ ଦଳ ପ୍ରତ୍ୟେକ ସ୍ତରରେ ନିର୍ବାଚନ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଯଦି ଇଭିଏମ୍‌ରେ ଜାଲିଆତି କିମ୍ବା ଠକେଇ ନହୁଏ, ତେବେ ଫଳାଫଳ ଭଲ ହେବ। ଆମେ ପ୍ରତ୍ୟେକ ସ୍ତରରେ ଦଳକୁ ମଜବୁତ କରୁଛୁ। କିଏ ଜାଣେ ଇଭିଏମ୍ ପର୍ଯ୍ୟାୟକ୍ରମେ  ବନ୍ଦ ହୋଇପାରେ। ଯେପରି ଏହି ଧାରା ଅନ୍ୟ ଅନେକ ଦେଶରେ ହୋଇଛି। ମେଣ୍ଟରେ ନିର୍ବାଚନ ଲଢ଼ିବା ସହିତ ଆମ ଦଳର ଅଭିଜ୍ଞତା ରହିଛି ଯେ, ଏହା ଦଳକୁ କ୍ଷତି ପହଞ୍ଚାଏ ଓ ଅନ୍ୟ ଦଳକୁ ଲାଭ ପହଞ୍ଚାଏ। କାରଣ ଦଳିତ ଭୋଟ ବ୍ୟାଙ୍କର ଲାଭ ଅନ୍ୟ ଦଳକୁ ଯାଇଥାଏ। କିନ୍ତୁ ସେମାନଙ୍କର ଭୋଟ ବ୍ୟାଙ୍କ ଆମ ପାଖକୁ ଆସେ ନାହିଁ। ଆମ ଦଳ ଏକାକୀ ଉତ୍ତର ପ୍ରଦେଶ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢ଼ିବ। ଆମେ ମେଣ୍ଟରେ କୌଣସି ନିର୍ବାଚନ ଲଢ଼ିବୁ ନାହିଁ। ଭବିଷ୍ୟତରେ, ଯେତେବେଳେ ଆମେ ସମ୍ପୂର୍ଣ୍ଣ ବିଶ୍ୱାସ କରିବୁ ଯେ, ଦଳ ଏକ ମେଣ୍ଟ ଗଠନ କରି ଅନ୍ୟ ଭୋଟ ବ୍ୟାଙ୍କ୍ ଆମ ଦଳକୁ ସ୍ଥାନାନ୍ତର କରିପାରିବ, ସେତେବେଳେ ଏହା ଉପରେ ବିଚାର କରାଯିବ। ମାତ୍ର ସେଭଳି ସ୍ଥିତି ପାଇଁ ବହୁ ସମୟ ଲାଗିପାରେ।