କନକ ବ୍ୟୁରୋ: ତୁମ ବିନା ବଞ୍ଚି ହେବନି । ତୁମେ ମୋର ସବୁକିଛି । ମୁହୁର୍ତେ ନ ଦେଖିଲେ ମନ ମାନୁନି । ଅତୀତକୁ ଭୁଲିଯିବା, ନୁଆ ଜୀବନ ଆରମ୍ଭ କରିବା । ଆଉ ଏକାଠି ହୋଇ ଦୁନିଆଁ ଦେଖିବା । ଏମିତିକା ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇଲା । ବିଏମଡବଲ୍ୟୁରେ ବୁଲିବାକୁ କହି ବିଶ୍ୱାସ ଜିତିଲା । ଲିଭ ଇନ୍ ରିଲେସନରେ ରହି ସର୍ବସ୍ୱ ଲୁଟି ନେଲା । ସାତ ଜନ୍ମର ସାଥୀ ହେବାକୁ କହି ଆକାଉଁଟ ସଫା କରି ଦେଲା । ଫିଲ୍ମର ସ୍କ୍ରିପ୍ଟ ଭଳି ଲାଗୁଥିବା ଏହି ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଜଣେ ମହିଳାଙ୍କ ଅଭିଯୋଗ ପରେ, ଏହି ଘଟଣା ସାମନାକୁ ଆସିଲା । ଆଉ ଅଭିଯୁକ୍ତର ପୁରା ଚେହେରାର ପର୍ଦ୍ଦାଫାସ ହେଲା ।
କେବଳ ଏହି ଜଣେ ମହିଳା ନୁହଁନ୍ତି । ଏକାଧିକ ମହିଳାଙ୍କୁ ଏହି ଠକ ଧୁରନ୍ଧର ନାକରେ ପାଣି ପିଆଇ ଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦିପ୍ତିରାଜ ପଟ୍ଟନାୟକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ରସିକିଆ ଏହି ପ୍ରେମିକ ପୁର୍ବରୁ ବିବାହିତ । ତାଙ୍କର ୩ଟି ସନ୍ତାନ ବି ରହିଛନ୍ତି । ନିଜର ଛାଡପତ୍ର ଦର୍ଶାଇ ଏହି ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ସହିଦନଗରରେ ତାଙ୍କର ଘର ଥାଇ ମଧ୍ୟ ବାବୁ ଜଣକ ଶୈଳେଶ୍ରୀ ବିହାରରେ ଅନ୍ୟ ଏକ ଘରେ ଏହି ମହିଳାଙ୍କ ସହ ଲିଭ ଇନ୍ ରିଲେସନରେ ରହୁଥିଲେ । ରସିକିଆ ପ୍ରେମିକର ଭଣ୍ଡାଫୋଡ୍ ହେବା ପରେ, ଅସଲ ସତ ଏବେ ସମସ୍ତଙ୍କ ଆଖି ସାମ୍ନାରେ ।
ମାଟ୍ରିମୋନି ସାଇଟରେ ଏବେ ଠକ ମାଳମାଳ । ସୁନ୍ଦରୀ ମହିଳାଙ୍କୁ ଦେଖି ପ୍ରେମର ଜାଲ । ନବାବଙ୍କ ଭଳି ଥାଟ୍ ବାଟ୍, ସୁଟ୍ ବୁଟ୍ ପିନ୍ଧା ଏହି ବାବୁଙ୍କୁ ଏବେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କୁ ୩ ଲକ୍ଷର ଚୁନା ଲଗାଇଥିବା ଏହି ଠକ, ଏକାଧିକ ମହିଳାଙ୍କ ସହ ଚାଟିଂ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେଉଛି ।