କନକ ବ୍ୟୁରୋ: ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କୁହାଯାଉଥିବା ମାଟ୍ରିକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆଉ କିଛି ସମୟ ପରେ ଆରମ୍ଭ ହେବ ପରୀକ୍ଷା । ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ୟ୍ୟନ୍ତ ଚାଲିବ । ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟା‌ରୁ ପରୀକ୍ଷା ଆରମ୍ଭ ହେବ । ତେବେ ସକାଳ ସାଢ଼େ ୯ଟା ପର୍ୟ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ । ନୋଡା‌ଲ‌୍‌ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ । ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋ‌ଇ ୧୧ଟା ୩୦ମିନିଟରେ ସରିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ । ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଆଜି ପ୍ରଥମ ଦିନରେ ରାଜ୍ୟର ୫ଲକ୍ଷ ୧୨ହଜାର ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ । ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଂଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି। କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି । ପରୀକ୍ଷାରେ ଯେମିତି କୌଣସି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଙ୍ଗ ସ୍କାର୍ଡ, ସେଣ୍ଟ୍ରାଲ ଅବଜରଭର, ଜିଲ୍ଳା ସ୍ତର ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ପ୍ରମୁଖ ସମସ୍ୟା ହୋଇଥିବାରୁ ଏହାକୁ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କର ବ୍ୟବସ୍ଥା କରାଯାଇଛି । ଯେଉଁଠି ପ୍ରଶ୍ନପତ୍ର ଲିକ୍ ହେଲେ ବି ଯେମିତି ଧରାପଡିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଶ୍ନପତ୍ର ଭାଇରାଲ ଗୁଜବକୁ ବିଶ୍ବାସ ନକରି ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।