Photograph: (kanak news)
କନକ ବ୍ୟୁରୋ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। ଆଜିର ଶିକ୍ଷାକ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯାଉଛି। ରାଜ୍ୟରେ ମାଟ୍ରିକ ପରୀକ୍ଷାରେ କପି କରୁଥିବା ପରୀକ୍ଷାର୍ଥୀଙ୍କୁ ଧରି ଏଆଇ। ସମ୍ବଲପୁରରେ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ୭ ଜଣ ପରୀକ୍ଷାର୍ଥୀଙ୍କୁ ଧରିଛି ଏଆଇ। ସେପଟେ କେନ୍ଦୁଝର ଆନନ୍ଦପୁରରେ କପି ବେଳେ ମାରପିଟ୍ ଭଳି ସ୍ଥିତି ଦେଖିବାକୁ ମିଳିଛି।
ସ୍କ୍ବାଡ ନଜରରୁ ସିନା ବର୍ତ୍ତିଯିବ, କିନ୍ତୁ ଏଆଇ ଆଖିରୁ ନୁହେଁ। ମାଟ୍ରିକ ପରୀକ୍ଷାରେ କପି କରିବା ପଡିଲା ମହଙ୍ଗା। ଲୁଚାଇ କପି କରୁଥିବା ୭ ପରୀକ୍ଷାର୍ଥୀଙ୍କୁ ଧରିଲା ଏଆଇ। ବିଜ୍ଞାନ ପରୀକ୍ଷାରେ କପି କରୁଥିବା ୭ ଜଣ ପରୀକ୍ଷାର୍ଥୀ ଏଆଇ ନଜରରୁ ବର୍ତ୍ତି ପାରିନାହାନ୍ତି। ପ୍ରଥମ ଥର ମାଟ୍ରିକ ପରୀକ୍ଷାରେ ଏଆଇ ଜ୍ଞାନକୌଶଳ ବ୍ୟବହାର ହୋଇଥିବା ବେଳେ ଏହା ବୋର୍ଡ ପାଇଁ ବେଶ ସହାୟକ ସାଜିଛି। ଅସାଧୁ ରୂପରେ କେହି କପି କରୁଥିଲେ ଏଆଇ ଏ ବାବଦରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଉଛି। ସମ୍ବଲପୁରର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ଏଭଳି ଅସାଧୁ ପରୀକ୍ଷାର୍ଥୀ ଧରାପଡିଛନ୍ତି।
ସମ୍ବଲପୁରରେ ଏଆଇ କପି କରୁଥିବା ପରୀକ୍ଷାର୍ଥୀଙ୍କୁ ଧରିଥିବା ବେଳେ କେନ୍ଦୁଝର ଦେଓଗାଁରେ କପି ଦେବାକୁ ନେଇ ୨ ଗାଁର ଯୁବକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ନିଜ ପିଲାଙ୍କୁ କପି ଦେବାକୁ ନେଇ ବରିପାଳ ଓ ତରିମୂଳ ଗାଁର ଯୁବକ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏଆଇ କ୍ୟାମେରା ଲାଗିବା ସତ୍ତ୍ବେ କିଭଳି ପରୀକ୍ଷାକେନ୍ଦ୍ରରେ ଦିଆଯାଉଥିଲା କପି? ପରୀକ୍ଷାକେନ୍ଦ୍ର ଭିତରେ କପି ଯୋଗାଇବାରେ କେହି ସହଯୋଗ କରୁଛନ୍ତି କି?
ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ଚଳିତଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରିଛି ବୋର୍ଡ। କିନ୍ତୁ ଏହାସତ୍ତ୍ବେ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କପି ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
Follow Us