କନକ ବ୍ୟୁରୋ : ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୯ରେ ହେବ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ପ୍ରଶ୍ନପତ୍ରକୁ ସୁରକ୍ଷା ବଳୟ ଭିତରେ ରଖିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତଥାପି ତ୍ରୁଟି ଶୂନ୍ୟ ପରୀକ୍ଷା ହେବା ନେଇ ଲକ୍ଷ ଲକ୍ଷ ଅଭିଭାବକ, ୧୦ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି ।

Advertisment

ପାଖେଇ ଆସୁଛି ଛାତ୍ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଦଶମ ଓ +୨ ପରୀକ୍ଷା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ଓ କାଉନସିଲ୍ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ରର ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନୋଡାଲ ସେଣ୍ଟରକୁ ଯିବ । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି । ସମସ୍ତ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯିବ ।

ଅଧିକ ପଢ଼ନ୍ତୁ : ଫେବୃଆରି ୧୯ ରୁ ଦଶମ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା, ପ୍ରସ୍ତୁତ ହୋଇଛି ୩୦୮୨ ପରୀକ୍ଷା କେନ୍ଦ୍ର ସହ ୩୨୨ ନୋଡାଲ ସେଣ୍ଟର

ସେହିପରି ସ୍ୱଚ୍ଛ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଉଚ୍ଚ ସାଧ୍ୟମିକ ଶିକ୍ଷା ପରିଷଦ । ଏଥିସହ କେମିତି ପ୍ରଶ୍ନ ପତ୍ର ସୁରକ୍ଷିତ ଭାବେ ରଖାଯିବ ଓ ପରୀକ୍ଷାକେନ୍ଦ୍ରରେ ପହଁଚାଯିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି । ପ୍ରଥମ ଥର ପାଇଁ ଏଆଇ ନଜରରେ ରହିବ ପରୀକ୍ଷା ପରିଚାଳନା ହବ୍‌ । ହବ୍‌କୁ କୌଣସି ବ୍ୟକ୍ତି ପଶିଲେ ମୁଖ୍ୟାଳୟକୁ ଆଲର୍ଟ କରିବ ଏଆଇ । ଏନେଇ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ପରିସରରେ ଖୋଲିଛି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ।

ଗତ କିଛି ବର୍ଷ ହେବ ବାରମ୍ବାର ପରୀକ୍ଷାରେ ତ୍ରୁଟି ସାମନାକୁ ଆସୁଛି । କେତେବେଳେ ଭାଇରାଲ ହେଉଛି ତ ଆଉ କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ରହୁଛି । ଯାହା ପରୀକ୍ଷାର୍ଥୀଙ୍କୁ ଆଶଙ୍କା ଭିତରକୁ ଠେଲି ଦେଉଛି । ମନୋବଳକୁ ଭାଙ୍ଗି ଦେଉଛି । ତେଣୁ ଏଥର ତ୍ରୁଟି ଶୂନ୍ୟ ପରୀକ୍ଷା କରାଇବା ଉଭୟ କର୍ତ୍ତୃପକ୍ଷଙ୍କ ପାଇଁ ବଡ ଆହ୍ୱାନ ।

ଚଳିତ ବର୍ଷ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଓ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ ।