କନକ ବ୍ୟୁରୋ: କଟକ ବୈୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଚଗଲା ଖୁଣ୍ଟିଆକୁ ଗିରଫ କରିଛି ଏସ୍ଟିଏଫ୍ । ଚଗଲା ଖୁଣ୍ଟିଆ ଘର କଟକ ଶଙ୍କରପୁରରେ । ପୂରା ରାକେଟ ତଥା ବନ୍ଧୁକ କାରବାର ପଛରେ ଥିଲା ତା’ର ବଡ଼ ଭୂମିକା। ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାର ବି ସେ ମାଷ୍ଟରମାଇଣ୍ଡ ଥିଲା । ହତ୍ୟାକାଣ୍ଡ ପରେ, ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ୍ । କଟକରୁ ବନ୍ଧୁକ ପାସ୍ କରାଇ, ବାହାର ଜିଲ୍ଲା, ସହର ଏବଂ ରାଜ୍ୟକୁ ଚାଲାଣର ଠିକା ନେଉଥିଲା ଏହି ହାର୍ଡକୋର ଅପରାଧୀ ।
କିଛି ଦିନ ତଳେ ୪୨ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ ହୋଇଥିଲା । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି ହତିଆର କାରବାର ଚାଲିଥିଲା । ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଥିଲା । କ୍ରମାଗତ ଭାବେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ର ଅଧିକାରୀ ଚଢାଉ ଜାରି ରଖିବା ସହ ଏଥିରେ ସମ୍ପୃକ୍ତଙ୍କୁ ଖୋଜୁଛି ।