କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଏଠାରେ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ 'ମୁଖ୍ୟମନ୍ତ୍ରୀ ମାଝୀ ଲାଡକି ବହିନ' ଯୋଜନାରେ ଏକ ବଡ଼ ଧରଣର ଘୋଟାଲାର ପର୍ଦ୍ଦାଫାସ ହୋଇଛି । ୧୪,ହଜାରରୁ ଅଧିକ ପୁରୁଷ ମହିଳା ସାଜି ଏହି ଯୋଜନାର ଲାଭ ଉଠାଇ ସରକାରୀ ରାଜକୋଷକୁ ୨୧.୪୪ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।
'ଲାଡକି ବହିନ' ଯୋଜନା କ'ଣ ?
'ଲାଡକି ବହିନ' ସ୍କିମ୍ ହେଉଛି ମହିଳାଙ୍କ ବିକାଶ ପାଇଁ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ କଲ୍ୟାଣକାରୀ ଯୋଜନା । ଏହା ଅଧୀନରେ ୨୧ରୁ ୬୫ ବର୍ଷ ବୟସର ନିମ୍ନ ଆୟକାରୀ ଯୋଗ୍ୟ ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନା ରାଜ୍ୟରେ ମହାୟୁତି ମେଣ୍ଟକୁ ନିର୍ବାଚନରେ ସଫଳତା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
କିପରି ହେଲା ଘୋଟାଲାର ଖୁଲାସା ?
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବିଭାଗ ଜାଣିବାକୁ ପାଇଛି ଯେ ୧୪ ହଜାର ୨୯୮ ଜଣ ପୁରୁଷ ଭୁଲ ପରିଚୟ ଦେଇ ଯୋଜନା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ଗତ ୧୦ ମାସ ଧରି ସିଧାସଳଖ ନିଜ ବ୍ୟାଙ୍କ ଖାତାକୁ ନଗଦ ଲାଭ ପାଉଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସମସ୍ତ ପୁରୁଷଙ୍କ ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି ।
ସରକାରଙ୍କୁ ବଡ଼ କ୍ଷତି
ରିପୋର୍ଟ ଅନୁସାରେ, ସରକାର ଏହି ଯୋଜନା ଅଧୀନରେ ପ୍ରାୟ ୨.୪ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ପ୍ରଦାନ କରନ୍ତି, ଯାହାର ମୋଟ ଖର୍ଚ୍ଚ ପ୍ରାୟ ୩୭୦୦ କୋଟି ଟଙ୍କା । କିନ୍ତୁ ଗତ ୧୨ ମାସ ମଧ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ସରକାରଙ୍କୁ ହଜାର ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇଛନ୍ତି, ଯାହାଦ୍ୱାରା ମୋଟ ୧,୬୪୦ କୋଟି ଟଙ୍କାର କ୍ଷତି ହୋଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କରିଛନ୍ତି ଯେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ୨୬.୩୪ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି, ଯେଉଁଥିରେ ଏହି ୧୪,୨୯୮ ଜଣ ପୁରୁଷ ମଧ୍ୟ ସାମିଲ ଅଛନ୍ତି ।
ପୂର୍ବରୁ ମଧ୍ୟ ହୋଇଥିଲା ଖୁଲାସା
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହି ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ମାମଲା ସାମ୍ନାକୁ ଆସିଛି । ଫେବୃଆରି ମାସରେ ମହିଳା ଓ ଶିଶୁ ବିକାଶ ବିଭାଗ ସୂଚନା ଦେଇଥିଲା ଯେ ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦିଆଯାଇଛି । ଏହା ବ୍ୟତୀତ, ସରକାରୀ ଚାକିରି କରୁଥିବା ଅନେକ ମହିଳା ମଧ୍ୟ ଏହି ଯୋଜନାର ଲାଭ ଉଠାଉଥିଲେ, ଯେଉଁମାନଙ୍କ ନାମ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି ।
କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ସରକାର
ସରକାର ବର୍ତ୍ତମାନ ଏହି ଜାଲିଆତିରେ ସମ୍ପୃକ୍ତ ପୁରୁଷଙ୍କଠାରୁ ଟଙ୍କା ଆଦାୟ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି ଯେ ଦୋଷୀଙ୍କଠାରୁ ଟଙ୍କା ଆଦାୟ କରାଯିବ ଏବଂ ସହଯୋଗ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ଯୋଜନାର କାର୍ଯ୍ୟକାରିତା ଏବଂ ଯାଞ୍ଚ ପ୍ରକ୍ରିୟା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରୋଧୀ ଦଳ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।