କନକ ବ୍ୟୁରୋ : ଆମେରିକାର ରାଜରାସ୍ତାରେ ଏବେ ଜନସାଧାରଣଙ୍କ ଆକ୍ରୋଶ । ହଜାର ହଜାର ଲୋକେ ହାତରେ ପୋଷ୍ଟର। ଆଉ ନାରା ଦେଉଛନ୍ତି ‘ନୋ କିଙ୍ଗ୍‌ସ ଇନ୍ ଆମେରିକା’। ଅର୍ଥାତ୍ ଆମେରିକାରେ ଚଳିବନି ରାଜାଙ୍କ ରାଜୁତି । ପ୍ରତିବାଦର ଏହି ଜନସମୁଦ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ଶାସନ ନୀତି ବିରୋଧରେ । ନ୍ୟୁୟର୍କ ଠାରୁ ଆରମ୍ଭ କରି ୱାଶିଂଟନ, ଲସ୍ ଆଞ୍ଜେଲସ ଓ ଚିକାଗୋ ପର୍ଯ୍ୟନ୍ତ   ହଜାର ହଜାର ନାଗରିକ ଗଣତନ୍ତ୍ରର ସୁରକ୍ଷା ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି । ଜନତାଙ୍କ ଅଭିଯୋଗ, ଟ୍ରମ୍ପ ନିଜକୁ ରାଷ୍ଟ୍ରପତି ନୁହେଁ, ଜଣେ ଶାସକ ଭାବୁଛନ୍ତି । ଯିଏ କୌଣସି ଲୋକଙ୍କ ପ୍ରଶ୍ନ ଓ ସମାଲୋଚନାକୁ ଆଦୌ ବରଦାସ୍ତ କରିପାରୁନାହାନ୍ତି । ଟ୍ରମ୍ପ ପ୍ରଶାସନ ଧୀରେ ଧୀରେ ଗଣତାନ୍ତ୍ରିକ ସଂସ୍ଥାକୁ ଦୁର୍ବଳ କରୁଛନ୍ତି, ଗଣମାଧ୍ୟମ ଉପରେ ଚାପ ପକାଉଛି, ନ୍ୟାୟପାଳିକାରେ ହସ୍ତକ୍ଷେପ କରୁଛି । ଆଉ ସମାଲୋଚକଙ୍କୁ ଦେଶ ବିରୋଧୀ କହି ଟାର୍ଗେଟ୍ କରାଯାଉଛି । ଏହା ଆମେରିକାରେ ଗଣତନ୍ତ୍ର ବଦଳରେ ଏକଛତ୍ରବାଦ ଆଡ଼କୁ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । 

Advertisment

 ‘ନୋ କିଙ୍ଗ୍‌ସ ଇନ୍ ଆମେରିକା’ କେବଳ ଏକ ନାରା ନୁହେଁ, ବରଂ ଗଣତନ୍ତ୍ର ସୁରକ୍ଷାର ପ୍ରତୀକ ହୋଇଛି । ଆନ୍ଦୋଳନରେ କେବଳ ସାଧାରଣ ନାଗରିକ ନୁହନ୍ତି, ଛାତ୍ର, ସାମାଜିକ କର୍ମୀ ଏବଂ କିଛି ପୂର୍ବତନ ଅଧିକାରୀ ସାମିଲ ହୋଇଛନ୍ତି । ସମସ୍ତଙ୍କ ଗୋଟିଏ ନାରା, ଆମେରିକା କୌଣସି ରାଜାଙ୍କ ଦେଶ ନୁହେଁ ବରଂ ଜନତାଙ୍କ ଗଣରାଜ୍ୟ । ୱାଶିଂଟନ୍ ଡିସି ଓ ନ୍ୟୁୟର୍କରେ ଭିଡ଼ ଏତେମାତ୍ରାରେ ଥିଲା ଯେ, ସ୍ଥାନେ ସ୍ଥାନେ ପୁଲିସ ବ୍ୟାରିକେଡ୍ ଲଗାଇଛି । ସୋସିଆଲ ମିଡିଆରେ ହାଶଟ୍ୟାଗ୍ ‘ନୋ କିଙ୍ଗ୍‌ସ ଇନ୍ ଆମେରିକା’ ଟ୍ରେଣ୍ଡ କରୁଛି । ବିଶେଷଜ୍ଞ କହିଛନ୍ତି ଯେ, ଏହି ଆନ୍ଦୋଳନ ଆଗକୁ ଆମେରିକା ନିର୍ବାଚନକୁ ପ୍ରଭାବିତ କରିପାରେ । ଟ୍ରମ୍ପଙ୍କ ପାଇଁ ଏହା କେବଳ ରାଜନୈତିକ ଚ୍ୟାଲେଞ୍ଜ ନୁହେଁ, ଜନତାଙ୍କ ଭରସାର ପରୀକ୍ଷା ସଦୃଶ । ସେପଟେ ପ୍ରଦର୍ଶନକୁ ଟ୍ରମ୍ପଙ୍କ ପାର୍ଟି ‘ହେଟ୍ ଆମେରିକା’ କହି ପାଲଟା ଆକ୍ରମଣ କରିଛି । 

ଆମେରିକା ଇତିହାସରେ ଏହି ଆନ୍ଦୋଳନ ଆଗକୁ ଏକ ବଡ଼ ମୋଡ଼ ନେଇପାରେ। ଏହି ବିରୋଧ ପ୍ରଦର୍ଶନ କେବଳ ନୀତି ବିରୋଧରେ ନୁହେଁ, ବରଂ ସେହି ଚିନ୍ତାଧାରା ବିରୋଧରେ, ଯିଏ ନିଜ କ୍ଷମତା ଦ୍ବାରା ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। ‘ନୋ କିଙ୍ଗ୍‌ସ ଇନ୍ ଆମେରିକା’ ଏବେ ଜନତାଙ୍କ ସ୍ବର ପାଲଟିଛି । ଏବେ ପ୍ରଶ୍ନ ଉଠୁଛି, ଜନତାଙ୍କ ଏହି ଆନ୍ଦୋଳନକୁ ଟ୍ରମ୍ପ କର୍ଣ୍ଣପାତ କରିବେ? ନା ଆଗକୁ ଏହି ଆନ୍ଦୋଳନ ଉଗ୍ର ରୂପ ନେବ।