କନକ ବ୍ୟୁରୋ :  ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆମ୍ବଗାଁ ପଞ୍ଚାୟତର ସୁମନ୍ତପୁର ଗ୍ରାମର ତଥ୍ୟ ସମସ୍ତଙ୍କୁ ତାଜୁବ୍ କରିଛି । ଗ୍ରାମ ଠାରୁ ଅଳ୍ପ ଦୂରରେ ପାହାଡ଼ ତଳେ ଅବସ୍ଥିତ ମହାପ୍ରଭୁଙ୍କ ନାମରେ ଥିବା ଜମିରେ କିଛି ଦିନ ତଳେ  ଜେସିବିରେ ଅଳ୍ପ ମାଟି ଖୋଳା ଯାଇଛି । ଏହାକୁ ପୋଖରୀ କାମ ଦର୍ଶାଇ ମନରେଗା ଡିମାଣ୍ଡ ରହିଛି । ପ୍ରତିଦିନ ୨୮ଜଣ ଶ୍ରମିକ କାମ କରୁଥିବା ଦର୍ଶାଇ ଲୁଟ୍ ହୋଇଛି ସରକାରୀ ଅର୍ଥ । ପ୍ରାୟ ମାସେ ହେବ ଏମିତି ଲୁଟ୍ ଚାଲିଥିବା ଅଭିଯୋଗ ହୋଇଛି ।

Advertisment

ଏପରିକି ପଂଚାୟତ ସମିତି ସଭ୍ୟ ପାଣ୍ଠିକୁ ସମିତି ମେମ୍ବରକୁ ନଜଣାଇ ବ୍ଲକ ପ୍ରଶାସନ ମନଇଚ୍ଛା ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି । ବିଗତ ସମିତି ବୈଠକରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ସାନଖେମୁଣ୍ଡିର ବିଭିନ୍ନ ପଞ୍ଚାୟତ ସମିତି ସଦସ୍ୟମାନେ। ପୁରା ସ୍ଥିତିକୁ ଦେଖିଲେ ପ୍ରଶ୍ନ ଉଠୁଛି, କାହା ଇସାରାରେ ଓ କାହା ପ୍ରରୋଚନାରେ ଚାଲିଛି ହରିଲୁଟ ? ଏବଂ ଲୁଟ୍‌ ଅର୍ଥର ସିଂହ ଭାଗ ଯାଉଛି କାହା ପାଖକୁ ? ଏହାର ଉଚିତ ତଦନ୍ତ କରି ରାଜସ୍ବ ଲୁଟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଂଚଳବାସୀ ।

ସାରା ରାଜ୍ୟରେ ମନରେଗାରେ ମାଳମାଳ ଦୁର୍ନୀତି ଅଭିଯୋଗ ଆସୁଛି। ସରକାର ତୁରନ୍ତ ଏହି ହରିଲୁଟ୍ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ନେବାର ଆବଶ୍ୟକତା ରହିଛି ।