କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି, ସିଏଜି ରିପୋର୍ଟରେ ଏହାର ଖୁଲାସା ହୋଇଛି । ଏହି ଯୋଜନାର ପ୍ରକୃତ ଅର୍ଥ ଥିଲା, ସବୁ ଅଞ୍ଚଳକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା । କିନ୍ତୁ ଜେଇଇ ନିଜେ ନିଜେ ସ୍ଥିର କରିଥିଲେ କେଉଁଠି ସଡ଼କ ନିର୍ମାଣ ହେବ । କୌଣସି ସର୍ଭେ ନକରି ମନଇଚ୍ଛା ରାସ୍ତା ତିଆରି ହୋଇଛି । ଫଳରେ ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ବୋଲି ଦର୍ଶାଇଛନ୍ତି ସିଏଜି । ସବୁଠାରୁ ବଡ କଥା ହେଉଛି ଏଯାଏଁ ୨୦୫୭ ଗାଁକୁ ରାସ୍ତା ନାହିଁ
ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ସିଏଜି ।
୨୦୫୭ ଗାଁକୁ ରାସ୍ତା ନାହିଁ :
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୮୮୮.୭୪ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା ।
ସେଥିରୁ ୧୫୭୩.୦୩ କୋଟି ଟଙ୍କା ବିନିଯୋଗ କରାଯାଇଥିଲା ।
୮୦୮ଟି ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ୩୫୯ଟି ସମ୍ପୂର୍ଣ୍ଣ ହୋଇପାରିଥିଲା ।
୨୦୧୭-୧୮ରୁ ୨୦୨୧-୨୨ ପର୍ୟ୍ୟନ୍ତ କୌଣସି ନୂତନ ରାସ୍ତା ପ୍ରକଳ୍ପ ହାତକୁ ନେଇନଥିଲେ ।
୯ଟି ରାସ୍ତା ପ୍ରକଳ୍ପ ଜମି ବିବାଦ ଓ ଜଙ୍ଗଲ ଅନୁମତି ନମିଳିବାରୁ ୬.୪୦ କୋଟି ଟଙ୍କା ବ୍ୟୟ ହେବା ପରେ ଅଧାରୁ ବନ୍ଦ ହୋଇଥିଲା ।
୨୫ଟି ପ୍ରକଳ୍ପରେ ରାସ୍ତାଗୁଡ଼ିକର ନିର୍ଦ୍ଦିଷ୍ଟତା ଆଇଆରସି ସଂହିତା ମୁତାବକ ନଥିଲା ।
କଙ୍କ୍ରିଟର ମୋଟେଇ ଅଧିକ କରାଯିବାରୁ ୧.୮୨ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହୋଇଥିଲା ।
ଠିକାଦାରମାନଙ୍କଠାରୁ ୧.୭୫ କୋଟି ଟଙ୍କାର ଜରିମାନା ଅସୁଲ କରାଯାଇନଥିଲା ।