କନକ ବ୍ୟୁରୋ: ବଳଙ୍ଗା ନାବାଳିକା ପୋଡି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏମ୍ସ ପରିସର ପାଲଟିଛି ରାଜନୈତିକ ଦଳର ନୂଆ ରଣଭୂମି । ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଉପ-ମୁଖ୍ୟମନ୍ତ୍ରୀଙ୍କ ଘରେ ହୋଇଛି ଟମାଟୋ ମାଡ଼ । 

Advertisment

ନିଆଁରେ ପୋଡି ହୋଇ ଏମ୍ସର ବର୍ଣ୍ଣ ୟୁନିଟ୍ ଭିତରେ ଛଟପଟ ହେଉଥିଲେ ବଳଙ୍ଗା ନାବାଳିକା । ଆଉ ବର୍ଣ୍ଣ ୟୁନିଟ୍ ବାହାରେ ରାଜନୈତିକ ଦଳ ଗୁଡିକ ଏମିତି କରୁଥିଲେ ହେହଲ୍ଲା ଓ ନାରାବାଜି । ଏମ୍ସ ଭିତରକୁ ଯିବାକୁ ଚାଲିଥିଲା ପ୍ରତିଯୋଗିତା । ଶାସକ ଦଳର ନେତା ଏମ୍ସ ଭିତରକୁ ଯାଇଥିବା ବେଳେ  ବିରୋଧୀ ଦଳକୁ ଭିତରକୁ ଛାଡିନଥିଲେ ଏମ୍ସ କର୍ତ୍ତୃପକ୍ଷ । ଯାହାକୁ ନେଇ ବର୍ଣ୍ଣ ୟୁନିଟ୍ ବାହାରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । କିଛି ସମୟ ମଧ୍ୟରେ ଏମ୍ସ ପରିସରକୁ ପୁଲିସ ଛାଉଣୀ କରାଯାଇଥିଲା। ତେବେ ପରିସ୍ଥିତି ଅଣାୟତ୍ତ ହେବାରୁ ବର୍ଣ୍ଣ ୟୁନିଟ୍ ବାହାରେ ଲାଗିଥିଲା ବ୍ୟାରିକେଡ। ରୋଗୀ ସେବା ପ୍ରଭାବିତ ନ କରିବାକୁ ଶେଷରେ ନୋଟିସ ମାରିଥିଲେ ଏମ୍ସ କର୍ତ୍ତୃପକ୍ଷ ।  

ବଳଙ୍ଗା ଘଟଣାକୁ ନେଇ ତେଜିଛି ରାଜନୀତିର ନିଆଁ । ଶାସକ-ବିରୋଧୀଙ୍କ ଉପସ୍ଥିତି ଏମ୍ସ ପରିସରକୁ ରାଜନୈତିକ ରଣଭୂମିର ରୂପ ଦେଇଛି । ପୀଡିତାଙ୍କୁ ଭେଟିବାକୁ ଅନ୍ୟ କାହାକୁ ସୁଯୋଗ ଦିଆଯାଉନି। ହେଲେ କେଉଁ ସତ ଲୁଚାଇବାକୁ ବିଜେପି ନେତାଙ୍କୁ କାହିଁକି କର୍ଡନ କରି ନିଆଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି? ଏହାସହ ପ୍ରତିବାଦରେ ବସିଛି ଦଳ । ମହିଳା କଂଗ୍ରେସ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସଭବନକୁ ଟମାଟୋ ମାଡ କରିଛି । କଂଗ୍ରେସ କହିଛି ବିଜେପି ସରକାରରେ ମହିଳା ଏବେ ଅସୁରକ୍ଷିତ । ବିରୋଧ କରିବା ନାଁରେ ବିରୋଧୀ ରାଜନୀତି କରୁଛନ୍ତି ବୋଲି କହିଛି ବିଜେପି । 

ଏମ୍ସରେ ଜୀବନ ମୃତ୍ୟୁ ସଂଘର୍ଷ କରୁଛି ନାବାଳିକା । ଅନ୍ୟପଟେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଭିତରେ ଏହି ଘଟଣା କେଉଁ ମୋଡ ନେଉଛି ତାହା ଉପରେ ନଜର ।