କନକ ବ୍ୟୁରୋ : ଚିକିଟିର ଅଧିଷ୍ଟାତ୍ରୀ ଦେବୀ ମା ବାଳ କୁମାରୀଙ୍କ ପିଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ମା ବାଳ କୁମାରୀଙ୍କ ଦର୍ଶନ ପାଇଁ ଓଡିଶା ସୀମାନ୍ତ ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଛନ୍ତି ଭକ୍ତ । ପ୍ରାକୃତିକ ମନୋରମା ପରିବେଶ ମଧ୍ୟରେ ଚିକିଟି ଗଡ଼ ପାହାଡ଼ ପାଦ ଦେଶରୁ ଚାରି କିଲୋମିଟର ରାସ୍ତାରେ ଯାଇ ପାହାଡ଼ ଶିଖରରେ ପହଞ୍ଚୁଛନ୍ତି ଭକ୍ତ । ମା'ଙ୍କୁ ମାନସିକ ରଖିଲେ ସମସ୍ତ ଦୁଃଖ ଦୂର ଦେଉଥିବା ବିଶ୍ୱାସ ରହିଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମନ୍ଦିର କମିଟି ପକ୍ଷରୁ ନବ ରାତ୍ର ପୂଜା ଆୟୋଜିତ କରାଯାଇଛି । ତେବେ କିଭଳି ରହିଛି ମା ବାଳ କୁମାରୀ ପିଠରେ ନବରାତ୍ର ପୂଜାର ମାହୋଲ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବୀରୋତ୍ତମ ସାହୁ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋପପୁର ଗାଁର ବରଧାରୀ ପୀଠରେ ମାଆ ଦର୍ଶନ ଦିଅନ୍ତି ବିଂଶଭୁଜା ଭାବରେ । ଏବେ ଖଡ଼ି କାମ ପରେ ରଙ୍ଗକାମ ଚାଲିଛି । ମାଆଙ୍କ ମୃଣ୍ମୟୀ ମୃତ୍ତି ସମେତ ପାର୍ଶ୍ଵ ଦେବଦେବୀଙ୍କର ମଧ୍ୟ ରଙ୍ଗ କାମ ଚାଲିଛି । କାରିଗରମାନେ ଦିନରାତି ଏକ କରି ସଠିକ ସମୟରେ କାମ ସାରିବା ପାଇଁ ଲାଗିପଡିଛନ୍ତି । ଏପଟେ ମାଆଙ୍କର ଅଳଙ୍କାର ମଧ୍ୟ ଖଞ୍ଜା ଚାଲିଛି । ଏଠାରେ ମହିଷାସୁର ନଥାଏ କି ମାଆଙ୍କ ମୁଖା ଉଗ୍ରମୁଖା ନୁହେଁ । କାରଣ ବିଶ୍ୱଂଭୁଜା ବିଶ୍ଵରୂପା ଭାବରେ ମାଆ ଏଠି ଶାନ୍ତ ବାତ୍ସଲ୍ୟମୟୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ । ମାଆଙ୍କର ଏଭଳି ବେଶ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନଙ୍କ ଭିଡ଼ ହୁଏ ।
ଜଗତସିଂହପୁର ଜିଲ୍ଲା ମା' ଶାରଳାଙ୍କ ପୀଠରେ ପାର୍ବଣୀୟ ଷୋଡଶ ଉପଚାର ପୂଜା ଶନିବାର ୧୨ଦିନରେ ପହଞ୍ଚିଥିବା ବେଳେ ନବରାତ୍ର ପୂଜା ତୃତୀୟ ଦିନରେ ପହଂଚିଛି । ଏହି କ୍ରମରେ ମାଙ୍କୁ ନୀତିରିତି ଅନୁସାରେ ପୂଜା କରାଯାଉଛି । ସକାଳୁ ମାଙ୍କ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମାର୍ଜନା, ଅବକାଶ, ପାର୍ଶ୍ଵ ଦେବାଦେବୀ ପୂଜା, ମଣ୍ଡା ଭୋଗ ପରେ ଚଣ୍ଡୀ ପାଠ ଆଦି ନୀତି ସମ୍ପନ୍ନ କରାଯାଇଛି । ଏହି ପୂଜାବିଧି ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ ମହାଷ୍ଟମୀ ପର୍ୟ୍ୟନ୍ତ ଚାଲିବ । ତେବେ ନବରାତ୍ର ପୂଜା ଠାରୁ ବିଳମ୍ବିତ ରାତ୍ରିରେ ମାଙ୍କ ଦାଣ୍ଡଯାତ୍ରା ଅନୁଷ୍ଠିତ ହେଉଛି । ତେବେ ଏହି ସମୟରେ ମାଙ୍କ ଦର୍ଶନ କରି କୃପାଲାଭ ନିମନ୍ତେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।